ଆଡ଼ପ ମଣ୍ଡପରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି
ପୁରୀ: ଆଡ଼ପ ମଣ୍ଡପରେ ଚାଲିଛି ଶ୍ରୀଜୀଉଙ୍କ ନୀତିକାନ୍ତି। ଆଜି ଗୁରୁବାର ଆଷାଢ ଶୁକ୍ଳ ପଞ୍ଚମୀ ମାସନ୍ତ ତିଥି ଥିବାରୁ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗ ନୀତି ସମ୍ପନ୍ନ ହେବା ପରେ ଶ୍ରୀଜୀଉଙ୍କ ବନକଲାଗି ନୀତି ବା ଶ୍ରୀମୁଖ ସିଂହାର ନୀତି ଅନୁଷ୍ଠିତ ହେବ।
ଦତ୍ତ ମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ଏହି ବିଶେଷ ନୀତି ସମ୍ପାଦକ କରିବେ। କଳା, ଧଳା, ହିରୁତାଳ, ହିଙ୍ଗୁଳ ଆଦି ରଙ୍ଗରେ ମହାବାହୁଙ୍କ ଶ୍ରୀମୁଖ ସିଙ୍ଗାର କରାଯିବ। ଝଲସିବେ ଶ୍ରୀଜୀଉ ମହାପ୍ରଭୁ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଏହା ଅତ୍ୟନ୍ତ ଗୁପ୍ତ ସେବା ନୀତି ହୋଇଥିବାରୁ ଅପରାହ୍ନରେ ଚାରିଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବ। ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ବନ୍ଦ ଥିବାରୁ କେବଳ ସେବାୟତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।
ସେପଟେ ଗତ କାଲି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ପାଇଁ ଅବଢ଼ା ବାହାରିଛି। ସକାଳ ଧୂପ ପରେ ମହାପ୍ରଭୁଙ୍କୁ ଖେଚୁଡ଼ି, ଡାଲମା, ଶାଗ ଓ ଭଜା ଲାଗି ହୋଇଥିଲା। ଶ୍ରୀଜିଉଙ୍କ ଦର୍ଶନ କରିପାରୁ ନଥିବା ଶ୍ରଦ୍ଧାଳୁ ଏବେ ଆଡପ ଅବଢା ପାଇଛନ୍ତି। କର୍ଫ୍ୟୁ କଟକଣା କୋହଳ ପରେ ଭକ୍ତମାନେ ବୁଧବାର ଠାରୁ ଆଡ଼ପ ଅବଢ଼ା ପାଇବାର ସୁଯୋଗ ପାଇଛନ୍ତି।