୨୨୪୪ ଛାତ୍ରଛାତ୍ରୀ ଦେବେ ମାଟ୍ରିକ୍ ଅଫଲାଇନ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଜୁଲାଇ ୨୬ରୁ ଖୋଲିବ ସ୍କୁଲ। ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ। ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଖୋଲିବ ବୋଲି ସେ କହିଛନ୍ତି। ଏଥିସହ ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ସେଣ୍ଟର ହେଉଛି, ପରୀକ୍ଷା ପରେ ସ୍କୁଲ ଖୋଲିବ ବୋଲି କୁହାଯାଇଛି।
ମାଟ୍ରିକ ଅଫଲାଇନ ପରୀକ୍ଷା ନେଇ ଗଣଶିକ୍ଷା ସଚିବ କହିଛନ୍ତି, ଜୁନ୍ ୨୫ ତାରିଖରେ ପ୍ରକାଶ ପାଇଥିବା ମେଟ୍ରିକ୍ ପରୀକ୍ଷା ଫଳାଫଳକୁ ନେଇ କିଛି ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। କରୋନା ସ୍ଥିତି ସୁଧୁରିବା ପରେ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଜୁଲାଇ ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ଅଫଲାଇନ ଫର୍ମଫିଲପର ତାରିଖ ଧାର୍ଯ୍ୟ କରାଯାଇଥିଲା। ସମୁଦାୟ ୨୨୪୪ ଜଣ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ସମୁଦାୟ ୧୫୧୧୫ ଜଣ ଛାତ୍ରୀ (ରେଗୁଲାର, ଏକ୍ସ ରେଗୁଲାର ଓ ମଧ୍ୟମା) ଏହି ଆବେଦନ କରିଛନ୍ତି। ସମସ୍ତ ଜିଲ୍ଲା ହେଡକ୍ୱାର୍ଟରରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତି ପରୀକ୍ଷା କେନ୍ଦ୍ରରେ ଆଇସୋଲେସନ କେନ୍ଦ୍ର ରହିବ। ମାସ୍କ, ସାନିଟାଇଜର ଓ ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ ରଖାଯାଇଛି।
ଏଥସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଖୋଲିବା ନେଇ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି। ଏସଓପି ମୁତାବକ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଟିକା ଦିଆଯିବ। ବିଦ୍ୟାଳୟରେ ଥର୍ମାଲ ସ୍କାନିଂର ବ୍ୟବସ୍ଥା ସହ ସାନିଟାଇଜ କରାଯିବ। ଏନେଇ ଡିଇଓମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି। ୧୦ଟାରୁ ସାଢେ଼ ୧ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ହେବ। ତେବେ ସ୍କୁଲରେ ଖେଳ ଛୁଟି ରହିବ ନାହିଁ, ପିଲାମାନେ ନିଜ ଘରେ ଖାଇପାରିବେ ବୋଲି ସ୍ପଷ୍ଟ କରାଯାଇଛି।
ସେହିପରି ୧୦ମ ଓ ଦ୍ୱାଦଶ ବ୍ୟତୀତ ଅନ୍ୟ ଶ୍ରେଣୀର ପିଲାମାନେ ପୂର୍ବଭଳି ଅନଲାଇନରେ ପାଠପଢିବେ। ଛାତ୍ରଛାତ୍ରୀମାନେ ଚାହିଁଲେ ବିଦ୍ୟାଳୟ ଆସିପାରିବେ। ଯଦି କୌଣସି ସ୍ଥାନରେ କୋଭିଡ଼ ସଂକ୍ରମଣ ବୃଦ୍ଧି ପାଏ ତେବେ ଜିଲ୍ଲାପାଳମାନେ ସାମୟିକ ଭାବେ ସ୍କୁଲ ବନ୍ଦ କରାଯିବ। ଅଗଷ୍ଟରେ ନବମ ଶ୍ରେଣୀ ପିଲାଙ୍କର ପାଠପଢ଼ା ପାଇଁ ବ୍ୟବସ୍ଥା କରାଯିବ।