୧ କୋଟି ୩୦ ଲକ୍ଷ ପିଲାଙ୍କୁ ଦିଆଯିବ କୃମିନାଶକ ଔଷଧ

ଭୁବନେଶ୍ବର : ଚଳିତ ବର୍ଷ ରାଜ୍ୟର ୧ କୋଟି ୩୦ ଲକ୍ଷ ପିଲାଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯିବ। ୧ ରୁ ୫ ବର୍ଷ ପିଲାଙ୍କ ନିମନ୍ତେ ଅଙ୍ଗନାବାଡ଼ି କେନ୍ଦ୍ର ଏବଂ ୬ ରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ବିଦ୍ୟାଳୟରେ କୃ୍ମିନାଶକ ଔଷଧ ଆଲବେନଡାଜୋଲ ବଟିକା ପ୍ରଦାନ କରାଯିବ। ଏହି ସାମୁହିକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୮ ରେ ହେବ। ଉକ୍ତ ଦିନ ଯେଉଁମାନେ ଔଷଧ ନେବାରୁ ବଞ୍ଚିତ ହେବେ ସେମାନଙ୍କୁ ପୁନଃ ୧୬ ତାରିଖରେ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ.ଦିଲୀପ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି।
ଇମେଜ ସମ୍ମିଳନୀ କକ୍ଷରେ ନଅୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ. ସଡ଼ଙ୍ଗୀ କହିଲେ ଯେ, ଗତ ତିନି ବର୍ଷ ହେବ ଏହି ଅଭିଯାନ ଚାଲିଛି। ପ୍ରତି ୬ ମାସ ଅନ୍ତରରେ କୃମିନାଶକ ବଟିକା ଦିଆଯାଉଛି। ଏହି ବଟିକାର କୌଣସି ପାର୍ଶ୍ବପ୍ରତିକ୍ରିୟା ନାହିଁ। କୃମି ହେବା ଦ୍ବାରା ଆମେ ଖାଉଥିବା ଖାଦ୍ୟର ସାରାଂଶକୁ ଏହି କୃମିମାନେ ଖାଇଥାନ୍ତି। ଏହାଦ୍ବାରା ରକ୍ତହୀନତା ରୋଗ ହୋଇଥାଏ। ବର୍ତ୍ତମାନ କୃମିନାଶକ ବଟିକା ଦେବା ପାଇଁ ଅଙ୍ଗନବାଡ଼ି, ଆଶା କର୍ମୀ ଏବଂ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏହାବ୍ୟତୀତ ୫ଟି ଜିଲ୍ଲା ଖୋର୍ଦ୍ଧା, ବାଲେଶ୍ବର, କଟକ, ଢ଼େଙ୍କାନାଳ ଏବଂ ନୂଆପଡ଼ା ଜିଲ୍ଲାରେ ପାଇଲେରିଆ ପାଇଁ ଔଷଧ ବଣ୍ଟନ କରାଯିବ। ଚଳିତ ବର୍ଷ ୯୦ ଲକ୍ଷ ଲୋକଙ୍କୁ ଦିଆଯିବା ଲକ୍ଷ୍ୟ ରହିଛି। ସେହିପରି ୯ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଭିଟାମିନ୍ ଏ ଦ୍ରବଣ ପ୍ରଦାନ କରାଯିବ। ପୂର୍ବରୁ ଏହି କାର୍ଯ୍ୟକ୍ରମ ହେଉଥିବାବେଳେ ଚଳିତ ବର୍ଷ ୪୬ ଲକ୍ଷ ୬୨ ହଜାର ଶିଶୁଙ୍କୁ ଦିଆଯିବ ବୋଲି ଡ.ଷଡ଼ଙ୍ଗୀ କହିଛନ୍ତି। କାର୍ଯ୍ୟକ୍ରମରେ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଅଜିତ୍ ମହାନ୍ତି କହିଲେ ଯେ, ୨୦୦୨-୦୩ ଫାଇଲେରିଆ ନିରାକରଣ ପାଇଁ ୨୦ଟି ଜିଲ୍ଲାକୁ ନିଆଯାଇଥିବାବେଳେ ବର୍ତ୍ତମାନ ୧୦ଟି ଜିଲ୍ଲା ଫାଇଲେରିଆ ମୁକ୍ତ ହୋଇସାରିଛି। ଆସନ୍ତା ୮ରେ ୫ଟି ଜିଲ୍ଲାରେ ଏହି ଔଷଧ ବଣ୍ଟନ କରାଯିବ। ୨ରୁ ୫ ବର୍ଷ ପିଲାଙ୍କୁ ଗୋଟିଏ, ୫ରୁ ୧୪ବର୍ଷ ପିଲାଙ୍କୁ ଦୁଇଟି ଏବଂ ୧୫ରୁ ଅଧିକ ବୟସ ବ୍ୟକ୍ତିଙ୍କୁ ତିନୋଟି ଲେଖାଏଁ ବଟିକା ପ୍ରଦାନ କରାଯିବ। ଏଥିରେ ୯୦ ଲକ୍ଷ ଲୋକ ପାଇବାକୁ ଥିବାବେଳେ ୫୦ଟି ବ୍ଲକରେ ୧୬୦୪ ଭଲ୍ୟୁଣ୍ଟିୟର ରହିଛନ୍ତି। ସେହିପରି ସ୍ବାସ୍ଥ୍ୟ ଶିକ୍ଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ଡ. ବାରିଶ ଦାସ କହିଛନ୍ତି ଯେ, ଏହି ସବୁ ରୋଗର ନିରାକରଣ ନମନ୍ତେ ସଚେତନ କରାଯାଉଛି। ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ସମେତ ଆଶାକର୍ମୀ ପ୍ରଚାର ପ୍ରସାର କରୁଛନ୍ତି।
କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ସରୋଜ ନାୟକ କହିଛନ୍ତି ଏହି ଔଷଧ ସେବନ ଦ୍ବାରା କୌଣସି ପାର୍ଶ୍ବପ୍ରତିକ୍ରିୟା ନାହିଁ। ଯଦି ବା କାହାର ମୁଣ୍ଡ ବୁଲାଏ ବା ବାନ୍ତି ହୁଏ ଏଥିରେ କୌଣସି ଭୟ କରିବାର କାରଣ ନାହିଁ।
Comments are closed.