ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ମାମଲା, ପୁଲିସକୁ ସହଯୋଗ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ୭ ଦିନ ପରେ ବି ମୃତ୍ୟୁର କାରଣ ପାଉନି ପୁଲିସ୍। ଅନ୍ୟପଟେ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଆସୁଛି ଥରକୁ ଥର ନୂଆ ଟ୍ବିଷ୍ଟ। ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ବୟାନ ଆସିବାରେ ଲାଗିଛି। ଏସବୁ ମଧ୍ୟରେ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଲିସ୍କୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ। ଏଥିପାଇଁ ରଳାଖେମୁଣ୍ଡିରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍। କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ଏନେଇ ସୂଚନା ଦେଇଛନ୍ତି।
ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି ଯେ, ମାମଲାକୁ କ୍ରାଇମବ୍ରାଞ୍ଚ ନେଇନି। କିନ୍ତୁ ତଦନ୍ତରେ ସହଯୋଗ କରିବ। ଜଣେ DSPଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଯାଇଛନ୍ତି। ଟିମ୍ରେ ଜଣେ DSP, ଜଣେ ଇନ୍ସପେକ୍ଟରଙ୍କ ସହ ୪ ଜଣ ଅଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।ଅନ୍ୟପଟେ ଆଜି ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ବୟାନ ନେଇ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟଙ୍କ ମାଆ ଏବଂ ବାପା।
ସୌମ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼। ଉଠିଛି ସୌମ୍ୟଙ୍କ ପରକୀୟା ପ୍ରୀତି କଥା। ଆଉ ଏ କଥା କହିଛନ୍ତି ଖୋଦ୍ ତାଙ୍କ ପତ୍ନୀ ବିଦ୍ୟାଭାରତୀ। ଅନ୍ୟପକ୍ଷରେ ବିଦ୍ୟାଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ଶାଶୁ-ଶ୍ୱଶୁର। ସେମାନେ କହିଛନ୍ତି, ଏ ମାମଲାରୁ ଖସି ଯିବାକୁ ବୋହୂ ଚାଲ୍ ଖେଳୁଛି।
ସୌମ୍ୟଙ୍କ ମା’ କହିଛନ୍ତି, ଏସବୁ କଥା ମିଛ। ଯଦି ମୋ ପୁଅର ଅନ୍ୟ କୌଣସି ଝିଅ ସହିତ ସଂପର୍କ ଥିଲା, ତା’ହେଲେ ବୋହୂ ତା’ ସହିତ ରହୁଥିଲା କେମିତି? ମୋତେ ପୂର୍ବରୁ ଜଣାଇ ନଥିଲା କାହିଁକି? ପୁଅ ୭ ଦିନ ହେଲାଣି ମଲାଣି, ଆଜି ପର୍ଯ୍ୟନ୍ତ ମୁହଁ ଖୋଲୁ ନଥିଲା କାହିଁକି?
ସୌମ୍ୟ କାହାକୁ ଭଲ ପାଉଥିଲେ ବାହାଘର ପାଇଁ ଝିଅ ଠିକ୍ କରିବାକୁ ତା’ ମାମୁ ମାନଙ୍କୁ କାହିଁକି କହିଥା’ନ୍ତା? ତା’ର ସାଙ୍ଗ ଅଛନ୍ତି। ସେମାନେ ଫୋନ୍ କରନ୍ତି। କିଏ ବାହା ହେଲେଣି, କିଏ ବାହା ହୋଇ ନାହାନ୍ତି। ତା’ ପାଖକୁ ରାଖୀ ପଠାନ୍ତି। ଭାଇଭଉଣୀ ହୋଇ ସେମାନେ ସବୁ ଏକାଠି ପାଠ ପଢ଼ୁଥିଲେ। ଯାହା ସହିତ କଥା ହେବା ଅର୍ଥ କ’ଣ ସେ ତାଙ୍କୁ ଭଲ ପାଉଥିଲା।
ସେହିପରି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କହିଛନ୍ତି ଯେ, ତାଙ୍କ ପୁଅ କାହାକୁ ଭଲ ପାଉ ନଥିଲେ। ସେ ସେମିତି ପିଲା ନଥିଲେ। ସେମାନେ ଖସି ଯିବାକୁ ଏମିତି ଚାଲ୍ କରୁଛନ୍ତି। ପୁଅର ମୃତ୍ୟୁ ପାଇଁ ବୋହୂ, ତାଙ୍କ ବାପାମା’, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ସଂପୂର୍ଣ୍ଣ ଭାବେ ଦାୟୀ।
ସୂଚନାଯୋଗ୍ୟ, ଆଜି ବିଦ୍ୟାଭାରତୀ ପଣ୍ଡା ବିଦ୍ୟାଭାରତୀ ପଣ୍ଡା ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ତାଙ୍କ ସ୍ୱାମୀ ସୌମ୍ୟରଞ୍ଜନ ମହାପାତ୍ରଙ୍କର ଅନ୍ୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସେ ତାଙ୍କୁ ମୋବାଇଲ୍ରେ ଆଇ ଲଭ ୟୁ ଲେଖି ପଠାଉଥିଲେ। ତାଙ୍କ ସହିତ ଲୁଚି ଛପି କଥା ମଧ୍ୟ ହେଉଥିଲେ। ସୌମ୍ୟ ତାଙ୍କ ମୋବାଇଲ୍ର ପାସ୍ ୱାର୍ଡ ଚେଞ୍ଜ କରୁଥିଲେ। କଲ୍ ହିଷ୍ଟ୍ରୀ ଓ ହ୍ୱାଟ୍ସଆପ୍ ଚାଟ୍ ଡିଲିଟ୍ କରି ଦେଉଥିଲେ। ତେବେ ଏହା ସତ୍ତ୍ୱେ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। ଏହା ସହ ସେମାନଙ୍କ ମଧ୍ୟରେ ବାହାଘରକୁ ନେଇ ଏଗ୍ରିମେଣ୍ଟ ହୋଇଥିବା ମିଛ ବୋଲି ବିଦ୍ୟା କହିଛନ୍ତି।