୨୪ ବିଶ୍ୱବିଦ୍ୟାଳୟକୁ ବେଆଇନ୍ ଘୋଷଣା କଲା ୟୁଜିସି
ନୂଆଦିଲ୍ଲୀ: ଦେଶର ୨୪ଟି ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟକୁ ବେଆଇନ୍ ଘୋଷଣା କଲା ୟୁଜିସି।ଏସବୁ ବିଶ୍ୱବିଦ୍ୟାଳୟ ୧୯୫୬ ମାନଦଣ୍ଡର ନିୟମ ଉଲଂଘନ କରିଥିବା ନେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଭିନ୍ନ ଛାତ୍ର ସଂଗଠନ, ଅଭିଭାବକ ଓ ଗଣମାଧ୍ୟମ ପକ୍ଷରୁ ନକଲି ଶିକ୍ଷନୁଷ୍ଠାନ ଚାଲିବା ନେଇ ଅଭିଯୋଗ ହେବା ପରେ ୟୁଜିସି ଏହି ରିପୋର୍ଟ ପ୍ରକାଶ କରିଛି।
ଉତ୍ତରପ୍ରଦେଶରେ ସବୁଠୁ ଅଧିକ ଫେକ୍ ବିଶ୍ୱବିଦ୍ୟାଳୟ ରହିଛି। ବାରାଣସିର ସଂସ୍କୃତ ବିଶ୍ୱବିଦ୍ୟାଳୟ, ମହିଳା ଗ୍ରାମ ବିଦ୍ୟାପୀଠ, ଗାନ୍ଧୀ ହିନ୍ଦୀ ବିଦ୍ୟାପୀଠ, ଆହ୍ଲାବାଦ୍ ୟୁନିଭରସିଟି ଅଫ୍ ଇଲେକ୍ଟ୍ରୋ କମ୍ପେ୍ଲକ୍ସ ହୋମିଓପାଥି, କାନପୁର ନେତାଜୀ ସୁଭାଷଚନ୍ଦ୍ର ବୋଷ ଓପନ୍ ୟୁନିଭରସିଟି, ଆଲିଗଡର ଉତ୍ତରପ୍ରଦେଶ ବିଶ୍ୱିଦ୍ୟାଳୟ, ମଥୁରାର ମହାରାଣା ପ୍ରତାପ ଶିକ୍ଷା ନିକେତନ ବିଶ୍ୱବିଦ୍ୟାଳୟ, ଇନ୍ଦ୍ରପ୍ରସ୍ଥ ଶିକ୍ଷା ପରିଷଦ।
ସେହିପରି ଦିଲ୍ଲୀରେ ୭ଟି ଫେକ୍ ଶିକ୍ଷାନୁଷ୍ଠାନ ଥିବାବେଳେ ଓଡିଶା ଓ ପଶ୍ଚିମବଙ୍ଗରେ ଦୁଇଟି ଲେଖାଏଁ ଫେକ୍ ୟୁୁନିଭରସିଟି ରହିଛି। ଏହି ତାଲିକାରେ ଅଛି ରାଉରକେଲାର ନବଭାରତ ଶିକ୍ଷା ପରିଷଦ ଓ ନର୍ଥ ଓଡିଶା ୟୁନିଭରସିଟି ଅଫ୍ ଏଗ୍ରିକଲ୍ଚର ଆଣ୍ଡ୍ ଟେକ୍ନୋଲୋଜି। ସେହିପରି ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ପୁଦୁଚେରିରେ ଗୋଟିଏ ଲେଖାଏଁ ଫେକ୍ ୟୁନିଭରସିଟି ରହିଥିବା ୟୁଜିସି ପ୍ରକାଶ କରିଛି। ଏହି ଶିକ୍ଷାନୁଷ୍ଠାନଗୁଡିକ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟମାନଙ୍କ ମୁଖ୍ୟ ସଚିବ, ଶିକ୍ଷା ସଚିବ ମାନଙ୍କୁ ୟୁଜିସି ନିର୍ଦ୍ଦେଶ ଦେଇଛି।