ଅଲଗା ହେଲେ ଆଇଏଏସ୍ ଦମ୍ପତି
ଜୟପୁର: ଅଲଗା ହେଲେ ଆଇଏଏସ୍ ଦମ୍ପତି ଟିନା ଡାବି ଓ ଅଥର ଖାନ। ବାହାଘରର ୩ ବର୍ଷ ପରେ ଏହି ପ୍ରେମୀ ଯୁଗଳ ମଧ୍ୟରେ ହୋଇଛି ବିବାହ ବିଚ୍ଛେଦ। ରାଜସ୍ଥାନର ଜୟପୁର ଅନ୍ତର୍ଗତ ଗୋଟିଏ ଫ୍ୟାମିଲ କୋର୍ଟ ଉଭୟଙ୍କ ଛାଡ଼ପତ୍ର ଉପରେ ମୋହର ମାରିଛନ୍ତି।
ଉଭୟ ୨୦୧୮ରେ ପ୍ରେମ ବିବାହ କରିଥିଲେ।
ଦୁଇ ଜଣ ଅଲଗା ଜାତିର ହୋଇଥିବା ବେଳେ ପ୍ରେମ ବିବାହ କରି ସମାଜ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଥିଲେ। ୨୦୨୦ ନଭେମ୍ବରରୁ ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିଲା ଝଡ଼। ଶେଷରେ ମାମଲା କୋର୍ଟରେ ପହଞ୍ଚିଥିଲା। ଦୀର୍ଘ ଗୋଟିଏ ବର୍ଷର ଆଇଗତ ଲଢ଼େଇ ପରେ ଏବେ ଉଭୟ ବିବାହ ବନ୍ଧନରୁ ମୁକ୍ତ ହୋଇଛନ୍ତି।
୨୦୧୫ ମସିହା ୟୁପିଏସ୍ସି ପରୀକ୍ଷାରେ ଟିନା ଟପ୍ପର ହୋଇଥିବା ବେଳେ ଅଥର ଖାନ ଦ୍ୱିତୀୟ ସ୍ଥାନରେ ରହିଥିଲେ। ରାଜସ୍ଥାନ କ୍ୟାଡରର ଆଇଏଏସ୍ ଅଫିସର ଭାବେ ଉଭୟ ଜୟପୁରରେ ପୋଷ୍ଟିଂ ପାଇଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଏହି ପ୍ରେମକୁ ବିବାହର ରୂପ ଦେଇଥିଲେ ଟିନା ଓ ଅଥର। କଶ୍ମୀର ଯୁବକ ଅଥର ଓ ଟିନାଙ୍କ ବିବାହରେ। ସେତେବେଳେ ଏହି ବିବାହ ଗଣମାଧ୍ୟମର ଶୀର୍ଷକ ପାଲଟିଥିଲା।
ହେଲେ ହିନ୍ଦୁ ମହାସଭା ଏହାକୁ ଲଭ ଜିହାଦର ଆଖ୍ୟା ଦେଇଥିଲା। ଟିନା ଓ ଅଥର ଦୁଇ ବର୍ଷ ଦାମ୍ପତ୍ୟ ଜୀବନ ଅତିବାହିତ କରିବା ସହ ନିଜ କାମ ମଧ୍ୟ କରି ଚାଲିଥିଲେ। ସମୟ ବିତିବା ସହ ଦାମ୍ପତ୍ୟ ଜୀବନ ମଧ୍ୟ ବିଗିଡ଼ି ଯାଇଥିଲା। ଆପୋଷ ସହମତି ଭିତ୍ତିରେ ଉଭୟ ଫ୍ୟାମିଲ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ବାରମ୍ବାର ଶୁଣାଣି କରି କୋର୍ଟ ଉଭୟଙ୍କୁ ଏକାଠି କରିବାକୁ ଚାହିଁଥିଲେ।ଶେଷରେ ଏହି ଆଇଏଏସ୍ ଦମ୍ପତିଙ୍କ ବିବାହ ବିଚ୍ଛେଦ ହୋଇଛି।