ଟିକା ନ ନେବାରୁ ବାୟୁସେନା କର୍ମଚାରୀଙ୍କୁ ବହିଷ୍କାର

ଅହମ୍ମଦାବାଦ: କରୋନା ଟିକା ନ ନେବାରୁ କର୍ମଚାରୀଙ୍କୁ ବହିଷ୍କାର କଲା ବାୟୁସେନା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁଜରାଟ ହାଇକୋର୍ଟ ଗୁରୁବାର ଏହି ସୂଚନା ଦେଇଛନ୍ତି। ତେବେ ଟିକାକରଣ ନିଯୁକ୍ତି ସର୍ତ୍ତରେ ସାମିଲ ଥିବାର ଅତିରିକ୍ତ ସୋଲିସିଟର ଜେନେରାଲ ଦେବାଙ୍ଗ ବ୍ୟାସ୍ ବାୟୁସେନା କର୍ପୋରାଲ ୟୋଗେନ୍ଦ୍ର କୁମାରଙ୍କ ପିଟିସନ ଅଧାରରେ ନ୍ୟାୟାଳୟଙ୍କୁ ଦେଇଥିବା ଜବାବରେ ସୂଚିତ କରିଛନ୍ତି।
ଗୁଜରାଟ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏ.ପି.ଠାକରେ ଓ ଜଷ୍ଟିସ୍ ଏ.ଜେ. ଦେଶାଇଙ୍କ ଖଣ୍ଡପୀଠରେ ସୋଲିସିଟର ଜେନେରାଲ ସାରା ଦେଶରେ ଏହିପରି ୯ ଜଣ କର୍ମଚାରୀ ଟିକା ନେବାକୁ ରାଜି ହେଉ ନଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ସୂଚିତ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ କର୍ମଚାରୀ ନୋଟିସ୍ର ଜବାବ ଦେଇ ନଥିବାରୁ ବାୟୁସେନା ତାଙ୍କୁ ଚାକିରୀରୁ ବରଖାସ୍ତ କରିଥିବା ବେଞ୍ଚଙ୍କୁ ସୂଚିତ କରିଛନ୍ତି।
ସୋଲିସିଟର ଜେନେରାଲ ଏପର୍ଯ୍ୟନ୍ତ ଦେଶରେ କରୋନା ଟିକାକରଣ ସାଧାରଣ ଜନତାଙ୍କ ଲାଗି ବିକଳ୍ପ ହୋଇ ରହିଥିବା କହିଛନ୍ତି। ତେବେ ବାୟୁସେନା ଏହାକୁ ସେବା ସର୍ତ୍ତରେ ପରିଣତ କରିଛନ୍ତି। ଯାହା ସେବାରେ ଯୋଗଦେବା ସମୟରେ ବ୍ୟକ୍ତି ପାଳନ ଲାଗି ଶପଥ ମଧ୍ୟ ନେଇଥିଲେ। ତେବେ କର୍ପୋରାଲ ଯୋଗେନ୍ଦ୍ର କୁମାର ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍ର ଜବାବ ଦେଇଛନ୍ତି।
କୋଭିଡ-୧୯ ଟିକା ଲଗାଇବାକୁ ଅନିଚ୍ଛା ପରେ ଜାରି ନୋଟିସକୁ ଯୋଗେନ୍ଦ୍ର କୁମାର ଉଚ୍ଚ ନ୍ୟାୟାଳୟରେ ଚାଲେଞ୍ଜ କରିଛନ୍ତି। କୁମାରଙ୍କ ପିଟିସନ ଆଧାରରେ ନ୍ୟାୟାଳୟ ବାୟୁସେନାଙ୍କୁ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଣୁ ଆବେଦନକାରୀଙ୍କୁ କୋର୍ଟ ଅନ୍ତରୀଣ ଆଶ୍ୱସ୍ଥ କରିଥିବା ବେଳେ ମାମଲାରେ ବାୟୁସେନା ପୁନର୍ବିଚାର କରିବା ପର୍ଯ୍ୟନ୍ତ ତାଙ୍କୁ ସେବାରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।