ପୁଣି ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ

ଆଫଗାନିସ୍ତାନ: ପୁଣି ଆଫଗାନିସ୍ତାନରେ ତାଲିବାନ ଯୁଗ ଆରମ୍ଭ। ଆଫଗାନିସ୍ତାନରେ ୨୦ ବର୍ଷ ଧରି କ୍ଷମତାରୁ ବାହାରେ ରହିଥିବା ତାଲିବାନ ପୁଣି ଥରେ ବଳପୂର୍ବକ କ୍ଷମତାକୁ ଦଖଲ କରିଛି। ୧୦୩ ଦିନର ଲଢ଼େଇ ପରେ ଆଫଗାନିସ୍ତାନକୁ ନିଜ କବଜାକୁ ନେଇଛି ତାଲିବାନ। କାବୁଲକୁ ନିଜ ନିୟନ୍ତ୍ରଣକୁ ନେବା ପରେ ଏବେ ତାଲିବାନ ପକ୍ଷରୁ ରାଷ୍ଟ୍ରପତି ଭବନକୁ ନିଜ ଅଧିକାରକୁ ନିଆଯାଇଛି। ଏହା ପୂର୍ବରୁ ରାଷ୍ଟ୍ରପତି ଅସରଫ ଗନି କାବୁଲ ଛାଡ଼ି ପଡ଼ୋଶୀ ଦେଶ ତାଜିକିସ୍ତାନ ଚାଲିଯାଇଥିବା ଜଣାପଡିଛି।
ଆଫଗାନିସ୍ତାନ ଅକ୍ତିଆର ପରେ ତାଲିବାନକୁ କ୍ଷମତା ହସ୍ତାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଫଗାନିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଅଲ୍ଲି ଅହମ୍ମଦ ଜଲାଲି ଦେଶର ଅନ୍ତରୀଣ ରାଷ୍ଟ୍ରପତି ହେବାର ସମ୍ଭାବନା ରହିଛି। ତାଲିବାନ ହାତକୁ କ୍ଷମତା ଯିବା ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ପଦରେ ରହିବେ। କିନ୍ତୁ ତାଲିବାନ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ କାବୁଲର କ୍ଷମତା ନିଜ ହାତକୁ ନିଆଯିବ।
ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯ଼େ, କାବୁଲରେ ଲୁଟପାଟକୁ ରୋକିବାକୁ କେତେକ ଯୋଦ୍ଧା ସହରରେ ପ୍ରବେଶ କରିଛନ୍ତି। ଏହାସହ ସେମାନେ ଖାଲି ହୋଇଯାଇଥିବା ଥାନା ଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେବେ। ତେବେ ସାଧାରଣ ଲୋକେ ଆତଙ୍କିତ ନହେବାକୁ ସେ କହିଛନ୍ତି।