କାଶ୍ମୀର ପ୍ରସଙ୍ଗରେ ତାଲିବାନର ବଡ ବୟାନ, କହିଲା…
![](https://www.odishalink.com/wp-content/uploads/2021/08/Taliban-spokes-person.jpg)
କାବୁଲ: ଆଫଗାନିସ୍ତାନ ଦଖଲ ପରେ ଭୟରେ ଦେଶ ଛାଡି ଅନ୍ୟ ଦେଶକୁ ଚାଲିଯାଉଛନ୍ତି ଆଫଗାନବାସୀ। ମହିଳା ଏବଂ ଶିଶୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏହାରି ମଧ୍ୟରେ ମୁହଁ ଖୋଲିଛି ତାଲିବାନ। ଏକ ସାମ୍ବାଦିକ ସମ୍ମିଳନୀରେ ତାଲିବାନର ମୁଖପାତ୍ର କାଶ୍ମୀର ପ୍ରସଙ୍ଗ ନେଇ ବୟାନ ଦେଇଛନ୍ତି।
କାଶ୍ମୀର ପ୍ରସଙ୍ଗରେ ତାଲିବାନ କହିଛି, କାଶ୍ମୀର ଆମର ଏଜେଣ୍ଡା ନୁହେଁ। କାଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନର ଅନ୍ତରିଣ ମାମଲା। କାବୁଲରେ ଥିବା ସବୁ ଦେଶର ଦୂତାବାସକୁ ସୁରକ୍ଷା ଦିଆଯିବ ବୋଲି ତାଲିବାନ ପ୍ରବକ୍ତା କହିଛନ୍ତି। ସେପଟେ, ତାଲିବାନ କାବୁଲ ଦଖଲ କରିବା ପରେ ଏଲଓସିରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିଦିଆଯାଇଛି। ଏଲଓସି ଠାରୁ ମାତ୍ର ୪୦୦ କିଲୋମିଟର ଦୂରରେ ରହିଛି ତାଲିବାନ। ପୂର୍ବରୁ କାନ୍ଧାର ହାଇଜାକ୍ ଘଟଣାରେ ପାକିସ୍ତାନ ତାଲିବାନ ଆତଙ୍କବାଦୀଙ୍କ ସହାୟତା ନେଇଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ ସତର୍କ ରହିଛି।
ତାଲିବାନର ମୁଖପାତ୍ର ଆହୁରି କହିଛନ୍ତି ଯେ, ତାଲିବାନ କାହାଠାରୁ ପ୍ରତିଶୋଧ ନେବାକୁ ଚାହେଁ ନାହିଁ। ଆଫଗାନ ମାଟିକୁ ବ୍ୟବହାର କରି ଅନ୍ୟ ରାଷ୍ଟ୍ର ବିରୋଧରେ କାର୍ଯ୍ୟକଳାପ କରିବାକୁ ଦିଆଯିବ ନାହିଁ। ମହିଳାଙ୍କ ସୁରକ୍ଷା ଓ ଅଧିକାର ସମ୍ପର୍କରେ ମତ ରଖି ପ୍ରବକ୍ତା କହିଛନ୍ତି ଯେ, ଇସଲାମ ଆଧାରରେ ମହିଳାଙ୍କ ଅଧିକାରର ସମ୍ପୂର୍ଣ୍ଣ ସୁରକ୍ଷା କରାଯିବ। ମହିଳାମାନେ ସ୍ୱାସ୍ଥ୍ୟ ଓ ଅନ୍ୟ ସେକ୍ଟର ଯେଉଁଠାରେ ସେମାନଙ୍କ ଆବଶ୍ୟକତା ଅଛି କାର୍ଯ୍ୟ କରିପାରିବେ। ମହିଳାଙ୍କ ବିରୋଧରେ କୌଣସ ଭେଦଭାବ କରାଯିବ ନାହିଁ।