ରୋଗୀ ସେବା ନେଇ ସ୍ୱାସ୍ଥ୍ୟ ବିଭାଗର ନୂଆ ନିର୍ଦ୍ଦେଶନାମା
![](https://www.odishalink.com/wp-content/uploads/2020/03/HEALTH.jpg)
ଭୁବନେଶ୍ବର: ରୋଗୀ ସେବା ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ କେବଳ ସ୍ୱାସ୍ଥ୍ୟକର୍ମୀ ହିଁ ଦେଖିପାରିବେ ବୋଲି ନିର୍ଦ୍ଦେଶନାମା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ନିର୍ଦ୍ଦେଶନାମାରେ କଡାକଡି ଭାବେ ଉଲ୍ଲେଖ କରାଯାଇଛି ଯେ, ସ୍ୱାସ୍ଥ୍ୟକର୍ମୀଙ୍କୁ ବାଦ୍ ଦେଇ ଅନ୍ୟ କେହି ରୋଗୀଙ୍କୁ ଦେଖିପାରିବେ ନାହିଁ।
ସୂଚନାଯୋଗ୍ୟ, ଗଞ୍ଜାମ ହିଂଜିଳିକାଟୁ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ସିକ୍ୟୁରିଟି ଗାର୍ଡ ରୋଗୀଙ୍କୁ ଦେଖୁଥିବା ଘଟଣା ସାମ୍ନାକୁ ଆସିଥିଲା। ଡ଼ାକ୍ତର କି ନର୍ସ କେହି ନଥିବା ବେଳେ ସିକ୍ୟୁରିଟି ଗାର୍ଡ଼ ଏକ ବିପି ମେସିନ ଆଣି ରୋଗୀଙ୍କ ରକ୍ତଚାପ ଚେକ କରୁଥିବା ଫଟୋ ସାମ୍ନାକୁ ଆସିଥିଲା। ଏହି ଭିଡ଼ିଓ ଭାଇରାଲ ହେବା ପରେ ମେଡ଼ିକାଲରେ ରୋଗୀ ସେବା ନେଇ ପ୍ରଶ୍ନ ଉଠିଥିଲା। ପରେ ଏହି ଘଟଣାର ସ୍ପଷ୍ଟୀକରଣ ରଖିଥିଲେ ଗଂଜାମ ଜିଲ୍ଲା ପ୍ରଶାସନ।
ଗଞ୍ଜାମ ଜିଲ୍ଲା ପ୍ରଶାସନ ସ୍ପଷ୍ଟିକରଣ ମୁତାବକ, ଡାକ୍ତରଖାନାରେ ୧୩ଜଣ ଡାକ୍ତର ଅଛନ୍ତି ଏବଂ ସିକ୍ୟୁରିଟି ଗାର୍ଡ ଜଣକ କେବଳ ବ୍ଲଡପ୍ରେସର ମ୍ୟାସିନର କଫ ବାନ୍ଧିବରେ ସାହାଯ୍ୟ କରୁଥିଲେ ବୋଲି ଗଂଜାମ ଜିଲ୍ଲାପାଳ ନିଜ ଅଫିସିଆଲ ଟ୍ୱିଟର ଆକାଉଂଟରୁ ଟ୍ୱିଟ କରି ଲେଖିଥିଲେ। ଏହାପରେ ଆଜି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରି କୁହାଯାଇଛି ଯେ, ସ୍ୱାସ୍ଥ୍ୟକର୍ମୀଙ୍କ ବାଦ୍ ଅନ୍ୟ କେହି ରୋଗୀ ସେବା କରିପାରିବେ ନାହିଁ।