କାବୁଲରୁ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନ ଆତଙ୍କୀ

କାବୁଲ: ଆଫଗାନିସ୍ତାନରେ ତାଲିବାନର ବର୍ବରତା। କାବୁଲ ବିମାନବନ୍ଦରରୁ ୧୫୦ ଜଣଙ୍କୁ ଜୋର ଜବରଦସ୍ତି ଉଠାଇନେଲା ତାଲିବାନ। ସେ ମଧ୍ୟରେ ଅଧିକାଂଶ ଭାରତୀୟ ଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ବର୍ତ୍ତମାନ ପ୍ରକାଶପାଇଥିବା ଖବର ଅନୁଯାୟୀ ସମସ୍ତ ଭାରତୀୟ ନାଗରିକ ନିରାପଦରେ ରହିଛନ୍ତି।
ଅନ୍ୟପଟେ ତାଲିବାନର ଜଣେ ମୁଖପାତ୍ର ଅହମ୍ମଦୁଲ୍ଲା ୱାସେକ ଏହି ରିପୋର୍ଟକୁ ଅସ୍ୱୀକାର କରିଛନ୍ତି। ସେପଟେ ବର୍ତ୍ତମାନ ସୁଦ୍ଧା ଏହି ପରିସ୍ଥିତିକୁ ନେଇ ଭାରତ ସରକାରଙ୍କ ତରଫରୁ କୌଣସି ସରକାରୀ ମନ୍ତବ୍ୟ ନାହିଁ।
ତାଲିବାନର କବଳରୁ ଫେରିଆସିଥିବା ଦମ୍ପତ୍ତି କହିଛନ୍ତି ଯେ, ଆଜି ରାତି ଗୋଟାଏ ସମୟରେ କିଛି ଲୋକଙ୍କୁ ଏକ ଗାଡି ମାଧ୍ୟମରେ ବିମାନ ଅଭିମୁଖେ ନିଆଯାଉଥିଲା । କିନ୍ତୁ କୌଣସି କାରଣରୁ ସେମାନେ ବିମାନ ବନ୍ଦରରେ ଯାତ୍ରା କରିପାରିନଥିଲେ। ସୂଚନାନୁସାରେ, ଅସ୍ତ୍ରଶସ୍ତ୍ର ବିନା କିଛି ତାଲିବାନ ଆସି ଲୋକଙ୍କୁ ମାଡ ମାରିଥିଲେ। ପରେ ସେମାନଙ୍କୁ କାବୁଲର ତାରଖିଲକୁ ନେଇ ଯାଇଥିଲେ। ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ ଗାଡିରୁ ଡେଇଁ ପଳାଇବାରେ ସଫଳ ହୋଇଥିଲେ। ସେ କହିଥିଲେ ଯେ କେବଳ କିଛି ଲୋକ କାରରୁ ଡେଇଁବାରେ ସକ୍ଷମ ହୋଇଥିଲେ । ଅନ୍ୟମାନଙ୍କ ସହ କ’ଣ ହେବ କେହି ଜାଣି ନାହାଁନ୍ତି ।