ସ୍ତ୍ରୀର ଜୁଇରେ ଝାସ ଦେଲା ସ୍ୱାମୀ

କଳାହାଣ୍ଡି: ସ୍ତ୍ରୀର ଜୁଇରେ ଝାସ ଦେଇ ଜୀବନ ହାରିଲେ ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ସିଆଲଯୋଡ଼ି ଗ୍ରାମରେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।
ଗତକାଲି ସଂଧ୍ୟାରେ ନୀଳମଣି ଶବରଙ୍କ ସ୍ତ୍ରୀ ରଇବାରୀ ଶବରଙ୍କ ମୃତ୍ୟୁ ହୋଇଥିଲା। ଗାଁ ମଶାଣି ତାଙ୍କର ଅନ୍ତିମ ସଂସ୍କାର ସାରି ଅନେକ ଲୋକେ ସ୍ନାନ କରି ଘରକୁ ଫେରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ନୀଳମଣି ଓ ଅନ୍ୟ କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଆସୁଥିବା ବେଳେ। ମାନସିକ ଭାରସାମ୍ୟ ହରାଇ ହଠାତ୍ ଜୁଇ ଉପରକୁ ନୀଳମଣି ଡେଇଁପଡ଼ି ଜୀବନ୍ତ ଦଗ୍ଧ ହୋଇଥିଲେ।
ନିଆଁ ଜୋର ଜଳୁଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରିନଥିଲେ। ଫଳରେ ଜୀବନ୍ତ ଦଗ୍ଧ ହୋଇ ସ୍ୱାମୀଙ୍କ ମୃତ୍ୟୁ ହୋଇଛି। ସ୍ତ୍ରୀର ଜୁଇକୁ ସ୍ୱାମୀ ଡେଇଁବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।