ଦାଦାବଟି ଆଦାୟ: ପୋର୍ଟାଲ ସାମ୍ବାଦିକା ଅଟକ, ମାଲିକ ଫେରାର

ଭୁବନେଶ୍ବର: ଦୁଇ ଜଣ ଖଣି ବ୍ୟବସାୟୀଙ୍କୁ ୨ ଦିନ ବନ୍ଦୀ ରଖିଲେ। ପରେ ନିର୍ଦ୍ଧୁମ ପିଟିବା ସହ ବ୍ୟବସାୟୀଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ମାଗିଲେ। ଆପଣ ଭାବୁଥିବେ କିଛି ଗୁଣ୍ଡା ଏଭଳି କିଛି କାର୍ଯ୍ୟ କରିଥିବେ ବୋଲି। କିନ୍ତୁ ବାସ୍ତବରେ ଗୁଣ୍ଡା ନୁହେଁ କିଛି ସାମ୍ବାଦିକ ମିଶି ଏଭଳି କଳା କାରନାମା କରିଛନ୍ତି ଖୋଦ୍ ରାଜଧାନୀ ଭୁବନେଶ୍ବରରେ। ଯାହା ଏବେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନା ମୁତାବିକ ପ୍ରଥମେ ଆଗ ଧାଡି଼ର ସାମ୍ବାଦିକ ବୋଲି ପରିଚୟ ଦେଲେ। କିଛି ଭିଡିଓ ଓ ତଥ୍ୟ ପଠାଇ ଅଫିସକୁ ଆସି ମୂଲଚାଲ କରିବାକୁ କହିଲେ। ନହେଲେ, ଖଣି ଦୁର୍ନୀତିର ପର୍ଦ୍ଦାଫାଶ କରି ଫସାଇ ଦେବାକୁ ଧମକ ଦେଲେ। ୨ ବ୍ୟବସାୟୀ ଡରିମରି ଅଫିସ୍କୁ ଆସିବା ପରେ ଆରମ୍ଭ ହେଲା ଅତ୍ୟାଚାର। ଗୋଟିଏ ଘରେ ୨ ଦିନ ବନ୍ଦୀ ରଖି ୨ ବ୍ୟବସାୟୀଙ୍କୁ ନିସ୍ତୁକ ପିଟିଲେ । ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କଲେ। ନନ୍ଦନନକାନନ ଥାନାରେ ଏମିତି ସଙ୍ଗୀନ ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ାର ପୂର୍ଣ୍ଣଚନ୍ଦ୍ର ସାହୁ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ସେ କୋଲକାତାର ଜଣେ ବ୍ୟବସାୟୀଙ୍କ ସହ ମିଶି କେନ୍ଦୁଝରର ଖଣି ଅଞ୍ଚଳରୁ ଖଣିଜ ପଦାର୍ଥ ପରିବହନ କରନ୍ତି। ଯୋଡ଼ା ବଡ଼ବିଲ୍ରୁ ସେମାନଙ୍କ ଟ୍ରକ ଯୋଗେ ମାଲ୍ ପାରାଦୀପ ବନ୍ଦର ଓ ଅନ୍ୟଆଡକୁ ପଠାଯାଏ। ଅପରପକ୍ଷେ, ପୁଲିସ୍ ଘଟଣାର ତଦନ୍ତ କରି ଜଣେ ମହିଳା ସାମ୍ବାଦିକଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି । ସାମ୍ବାଦିକା ଜଣକ ହେଲେ ‘ଲାଇଭ୍ କଳିଙ୍ଗ’ ୱେବ୍ ପୋର୍ଟାଲର। ପୁଲିସ ଘଟଣାରେ ମହିଳା ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ୨ କର୍ମଚାରୀଙ୍କୁ ଅଟକ ରଖିଛି। ଘଟଣାର ମାଷ୍ଟରମାଇଣ୍ଡ ୱେବ୍ ପୋର୍ଟାଲର ସିଇଓ ରାଜ୍ ନାମକ ଯୁବକ ଫେରାର୍ ଅଛନ୍ତି।
ପୂର୍ଣ୍ଣଚନ୍ଦ୍ରଙ୍କ ଅଭିଯୋଗ ମୁତାବିକ, ଦୁଇ ସପ୍ତାହେ ତଳେ ସାମ୍ବାଦିକ ଫୋନ୍ କରି ପୂର୍ଣ୍ଣଚନ୍ଦ୍ରଙ୍କୁ କହିଥିଲେ, ମୁଁ ଜଣେ ରିପୋର୍ଟର। ଲାଇଭ୍ କଳିଙ୍ଗ ପକ୍ଷରୁ ଫୋନ୍ କରାଯାଇଛି। ଆପଣଙ୍କ ପରିବହନରେ ଘୋଟାଲା ନେଇ ଆମେ ଏକ ଷ୍ଟିଙ୍ଗ ଅପରେସନ କରିଥିଲୁ। ଆପଣ ବିରୋଧରେ ଏକାଧିକ ପ୍ରମାଣ ରହିଛି। ଆପଣଙ୍କ ସଂସ୍ଥା ବର୍ଷକୁ କୋଟି କୋଟି ଟଙ୍କା ରାଜସ୍ୱ ଫାଙ୍କୁଛି। ତୁରନ୍ତ ଭୁବନେଶ୍ୱର ଆସି ଆମ ଅଫିସରେ ଦେଖା କରନ୍ତୁ। ନଚେତ୍, ଆମେ ଘୋଟାଲା ଖବର ପରିବେଷଣ କରିଦେବୁ। ଏମିତି ଫୋନ୍ କଲ୍ରେ ପୂର୍ଣ୍ଣଚନ୍ଦ୍ର ପୁରା ଡରି ଯାଇଥିଲେ।
ଭୟଭୀତ ହୋଇଥିବା ପୂର୍ଣ୍ଣଚନ୍ଦ୍ର ଗତ ୧୫ ତାରିଖରେ ସେ ତାଙ୍କ ବ୍ୟବସାୟୀ ସହଯୋଗୀଙ୍କ ସହ ନନ୍ଦନକାନନ ଥାନା ଅଧୀନ ରଘୁନାଥପୁରସ୍ଥିତ ଉକ୍ତ ୱେବ୍ ପୋର୍ଟାଲ ଅଫିସକୁ ଆସିଥିଲେ। ସେଠାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ୱେବ୍ପୋର୍ଟାଲ ମାଲିକ ରାଜ୍ ଓ ଅନ୍ୟ କର୍ମଚାରୀମାନେ ଧମକ ଦେଇ ୧୦ ଲକ୍ଷ ଟଙ୍କା ମାଗି ଥିଲେ। କିନ୍ତୁ ପୂର୍ଣ୍ଣଚନ୍ଦ୍ର ନିର୍ଦ୍ଦୋଷ ବୋଲି ଦର୍ଶାଇ ଟଙ୍କା ଦେବାକୁ ରୋକ୍ଠୋକ୍ ମନା କରିଦେଇଥିଲେ। ପରେ ଦୁଇ ଜଣଙ୍କୁ ବନ୍ଦୀ ରଖି ଦୀର୍ଘ ୨ ଦିନ ଧରି ୱେବ୍ ପୋର୍ଟାଲ କର୍ମଚାରୀମାନେ ଉଭୟଙ୍କୁ ନିସ୍ତୁକ ପିଟିଥିଲେ। ଲୁହା ରଡ଼, କାଠ ଫାଳିଆରେ ଉଭୟଙ୍କୁ ପିଟି ପିଠି, ହାତ, ଗୋଡ଼, ନିତମ୍ବରେ ଲୋଳା ବସାଇ ଦେଇଥିଲେ।
କେବଳ ସେତିକିରେ କଥା ସରି ନଥିଲା। ସାମ୍ବାଦିକ ମାନେ ଉଭୟଙ୍କ ଫୋନ୍ରୁ ପରିବାର ଲୋକଙ୍କୁ ଧମକାଇ ୧୦ ଲକ୍ଷ ଟଙ୍କା ମାଗିଥିଲେ। ପରିବାର ଲୋକେ ୧୦ ଲକ୍ଷ ଦେଇ ଉଭୟଙ୍କୁ ମୁକୁଳାଇ ଥିଲେ। ତେବେ ଦୁଇ ଦିନ ତଳେ ଉଭୟ ବ୍ୟବସାୟୀ ଏନେଇ ଥାନାରେ ଏତଲା ଦେଇଥିଲେ। ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଏକ ଟିମ୍ ସେଠାକୁ ଯାଇ ୪ ଅଭିଯକ୍ତଙ୍କୁ ଉଠାଇ ଥାନାକୁ ଆଣିଛି।