ଆକାଶରେ ଉଡ଼ିବ ୧୦୦୦ ଡ୍ରୋନ୍

ଓଏଲ୍ ବ୍ୟୁରୋ: ସାରା ଦେଶରେ ପାଳନ ହେଉଛି ସ୍ବାଧୀନତାର ଅମୃତ ମହୋତ୍ସବ। ଏସବୁ ମଧ୍ୟରେ ଗଣତନ୍ତ୍ର ଦିବସରେ କିଛି ସ୍ବତନ୍ତ୍ର କରିବାକୁ ଭାରତ ସରକାର କରିଛନ୍ତି ଖାସ୍ ଯୋଜନା। ଏଥିପାଇଁ ନେତାଜୀ ଜୟନ୍ତୀ ତଥା ଜାନୁଆରୀ ୨୩ ତାରିଖରୁ ସମଗ୍ର ଦେଶରେ ଗଣତନ୍ତ୍ର ଦିବସ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେବ। ଯାହା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।
ଏହାରି ମଧ୍ୟର; ୨୯ ତାରିଖ ଦିନ ଅନୁଷ୍ଠିତ ହେବ ଧ୍ବଜାବତରଣ କାର୍ଯ୍ୟକ୍ରମ। ଏହାକୁ ଆକର୍ଷିତ କରିବା ପାଇଁ ସେହି ଦିନ ଏକା ସାଙ୍ଗରେ ଆକାଶରେ ଉଡ଼ିବ ୧୦୦୦ ଡ୍ରୋନ୍। ପ୍ରଥମଥର ପାଇଁ ଏପରି ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଆମେରିକା, ରୁଷ ଓ ଚାଇନା ଭଳି ଦେଶ ବିଭିନ୍ନ କାର୍ଯ୍ୟକ୍ରମରେ ନିଜ ଡ୍ରୋନ ଗୁଡ଼ିକର ପ୍ରଦର୍ଶନ କରନ୍ତି। ଭାରତ ମଧ୍ୟ ଏହି ତାଲିକାରେ ଯୋଡ଼ି ହେବାକୁ ଯାଉଛି।
ଆଇଆଇଟି ଦିଲ୍ଲୀ ଷ୍ଟାର୍ଟଅପ ବୋଟଲାବ ଡାୟିନାମିକ ପକ୍ଷରୁ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଡ୍ରୋନଗୁଡ଼ିକ ନିର୍ମାଣ କରାଯାଇଛି। ପ୍ରତିବର୍ଷ ଦିଲ୍ଲୀର ବିଜୟ ଚୌକରେ ଧ୍ୱଜାବତରଣ ଉତ୍ସବ ପାଳନ କରାଯାଉଛି। ଏବର୍ଷ ମଧ୍ୟ ଜାନୁଆରୀ ୨୯ରେ ଏହା ଆୟୋଜିତ ହେବ। ଧ୍ୱଜାବତରଣ ବେଳେ ସ୍ୱାଧୀନତାର ୭୫ ବର୍ଷ ଇତିହାସକୁ ଲେଜର ଶୋ’ ମାଧ୍ୟମରେ ପ୍ରଦର୍ଶନ କରାଯିବ।