ନକଲି ଡାକ୍ତରଙ୍କ ୧୪ ନୁହେଁ ୧୭ ଅର୍ଦ୍ଧାଙ୍ଗିନୀ, ଲିଷ୍ଟରେ ବଡ଼ ବଡ଼ିଆ ବି ଅଛନ୍ତି

ଓଏଲ୍ ବ୍ୟୁରୋ: ଆପଣମାନେ ଗପରେ ଗପରେ ରାଜାଙ୍କ ଅନେକ ରାଣି ଥିବା କଥା ଶୁଣିଥିବେ ନିଶ୍ଚୟ। ହେଲେ ତାହା ସତ ପ୍ରମାଣିତ ହୋଇଛି। ବାସ୍ ରାଜାଙ୍କ ସ୍ଥାନରେ ଜଣେ ନକଲି ଡାକ୍ତରଙ୍କ ରହିଛନ୍ତି ଯାହାଙ୍କ ରହିଛି ଏକାଧିକ ଅର୍ଦ୍ଧାଙ୍ଗିନ। ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା।
୧୪ ଜଣ ମହିଳାଙ୍କୁ ବିବାହ କରି ଚର୍ଚ୍ଚରେ ଥିବା ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି। ୧୪ ନୁହେଁ ବରଂ ୧୭ ଜଣ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିଲେ ନକଲି ଡାକ୍ତର। ଆଜି ସାମ୍ନାକୁ ଆସିଥିବା ମହିଳାଙ୍କ ଭିତରେ ଜଣେ ଡାକ୍ତର ଥିବା ବେଳେ ଅନ୍ୟ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଜଣେ ଉଚ୍ଚଶିକ୍ଷିତା ଅଛନ୍ତି। ଆଉ ଯାହାଙ୍କ ଟଙ୍କାରେ ଅଏସ୍ କରୁଥିଲା ରମେଶ। ଗୌହାଟିରେ ଜଣେ ଡାକ୍ତର, ଓଡିଶାରେ ଜଣେ ଉଚ୍ଚ ଶିକ୍ଷିତା, ଛତିଶଗଡ଼ରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ବିବାହ କରିଥିଲେ। ଆଗକୁ ଏହି ତାଲିକା ଲମ୍ବା ହୋଇପାରେ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ମାମଲାର ତଦନ୍ତ ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ। ଟିମ୍ରେ ମହିଳା ଥାନା ଆଇଆଇସିଙ୍କ ସହ ଦୁଇ ଜଣ ସବ୍ଇନ୍ସପେକ୍ଟର, ଜଣେ ଏନଜିଓ କାଉନସିଲରଙ୍କୁ ନିଯୁକ୍ତି ଦିଆଯାଇଛି। ବହୁତ ମହିଳା ଘଟଣା ସମ୍ପର୍କରେ ଜାଣିବା ପରେ ବିଚଳିତ ଅଛନ୍ତି। ସମସ୍ତଙ୍କୁ ଯୋଗାଯୋଗ କରି ତଦନ୍ତ ହେବ। ଜଗତସିଂହପୁର ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ ଗତ କିଛି ମାସ ଭିତରେ MBBS କରିବେ କହି ୧୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ଆସିଛି। ଠିକ୍ ସେହିପରି ପାତ୍ରପଡାରେ ୨୦୨୧ରେ ନକଲି ପରିଚୟ ଦେଇ ଭଡାରେ ରହୁଥିବା ନେଇ ମହିଳା ଥାନାରେ ମାମଲା ହୋଇଛି। ରମେଶକୁ ରିମାଣ୍ଡରେ ଅଣାଯିବ ବୋଲି ଡିସିପି କହିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ହେଉଛି ରମେଶ ସ୍ୱାଇଁ। ସେ ନିଜକୁ ଡାକ୍ତର ପରିଚୟ ଦେଇ ଜଣଙ୍କ ପରେ ଜଣେ ମହିଳାଙ୍କୁ ବିବାହ କରିବା ସହ ଅତି ଚତୁରତାରେ ସେମାନଙ୍କୁ ଲୁଟୁଥିଲା। ମାଟ୍ରିମୋନିଆଲ୍ ସାଇଟ୍ରେ ଭିନ୍ନ ଭିନ୍ନ ନାଁରେ ଆଇଡି ଖୋଲି ମିଠା ମିଠା ଚାର୍ଟିଂ କରି ମହିଳାମାନଙ୍କ ସଂସ୍ପର୍ଶରେ ଆସିଥିଲା। ଏହା ପରେ ବିଧିବଦ୍ଧ ବିବାହ କରୁଥିଲା। ଯାହାଫଳରେ କେହି ତାକୁ ସନ୍ଦେହ କରୁନଥିଲେ।
ପୁଲିସ୍ ଦେଇଥିବା ତଥ୍ୟ ଅନୁଯାୟୀ ୧୯୮୨ରେ ରମେଶ ପ୍ରଥମ ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କଠାରୁ ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲା। ତାଙ୍କର ମଧ୍ୟ ଦୁଇ ପିଲା ଅଛନ୍ତି।
ତା’ ପରେ ସେ ଆଉ ୧୫ ମହିଳାଙ୍କୁ ବିବାହ କରିବା ସହ ସେମାନଙ୍କ ଟଙ୍କାରେ ଅୟସ୍ କରୁଥିଲା। ବିବାହ କରିନଥିବା କିମ୍ବା ଛାଡପତ୍ର ହୋଇଯାଇଥିବା ସଂଭ୍ରାନ୍ତ ଓ ମଧ୍ୟମ ବୟସ୍କା ମହିଳାଙ୍କୁ ଟାର୍ଗେଟ କରୁଥିଲା। ସେ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲା। ପରିଚୟ ବଦଳାଇ ମହିଳାଙ୍କୁ ବିବାହ କରୁଥିଲା। କେତେବେଳେ ବିଦୁପ୍ରସାଦ ତ ଆଉ କେତେବେଳେ ସେ ପାଲଟି ଯାଉଥିଲା ରମଣୀରଞ୍ଜନ। ୨୦୧୮ ମସିହାରେ ସେଣ୍ଟ୍ରାଲ୍ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲା। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲା। ଏପରିକି ତାଙ୍କଠାରୁ ୧୩ ଲକ୍ଷ ରମେଶ ଚଳୁ କରିନେଇଥିଲା।