ଦଶ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ
![](https://www.odishalink.com/wp-content/uploads/2020/09/odisha-legislative-assembly-buildings-cuttack.jpg)
ଓଏଲ୍ ବ୍ୟୁରୋ: ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ। ସେହିପରି ମାର୍ଚ୍ଚ ୩୦ ତାରିଖରେ ଆଗତ ହେବ ୨୦୨୨-୨୩ ବର୍ଷ ପାଇଁ ବଜେଟ୍। ଏହାପୂର୍ବରୁ ଗୃହକୁ ସୁରୁଖରୁରେ ଚଳାଇବା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।
ଆଜି ଦିନ ୧୧ ଟା ୩୦ରେ ବିଧାନସୌଧର ୫୯ ନମ୍ବର ରୁମରେ ଅନୁଷ୍ଠିତ ହେବ ବୈଠକ। ପ୍ରାୟତଃ ବିଧାନସଭା ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ଏହି ବୈଠକ ଆହ୍ୱାନ କରାଯାଇଥାଏ। କିନ୍ତୁ ସମ୍ପ୍ରତି ପୌର ନିର୍ବାଚନରେ ବିଧାୟକମାନେ ବ୍ୟସ୍ତ ରହୁଥିବାରୁ ଅଧିବେଶନ ଆରମ୍ଭ ହେବାର ୧୦ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଆହ୍ୱାନ କରାଯାଇଛି ବୋଲି ବିଧାନସଭା ପକ୍ଷରୁ କୁହାଯାଇଛି।
ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୋମବାର କହିଥିଲେ ଯେ, ଧାନସଭାର ନିୟମାବଳୀ ଏବଂ ପ୍ରକ୍ରିୟା ଅନୁଯାୟୀ ଅଧିବେଶନ ଅନୁଷ୍ଠିତ ହେବ। ଅଧିବେଶନରେ ପ୍ରଶ୍ନକାଳ, ଶୂନ୍ୟକାଳ ତଥା ମୁଲତବୀ ପ୍ରସ୍ତାବ ଆଦି ରହିବ। ବିଧାନସଭା ଆରମ୍ଭ ଅର୍ଥାତ୍ ମାର୍ଚ୍ଚ ୨୫ ତାରିଖ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣ ପ୍ରଦାନ କରିବେ। ଏହା ପରେ ମାର୍ଚ୍ଚ ୨୫, ୨୬ ଓ ୨୮ ତାରିଖ ତିନି ଦିନ ଧରି ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ। ମାର୍ଚ୍ଚ ୩୦ ତାରିଖରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ଏବଂ ମାର୍ଚ୍ଚ ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଂଜୁରୀ ବିଲ୍ ପାରିତ ହେବ। ଏସବୁ ପ୍ରସଙ୍ଗରେ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ ବୋଲି ବାଚସ୍ପତି କହିଛନ୍ତି ।