ରାଓ୍ବଲପିଣ୍ଡି ଟେଷ୍ଟ ଜିତିଲା ଇଂଲଣ୍ଡ, କୁମ୍ବଲେଙ୍କୁ ପଛରେ ପକାଇଲେ ଆଣ୍ଡରସନ୍

ଓଏଲ୍ ବ୍ୟୁରୋ: ପାକିସ୍ତନାର ରାଓ୍ବଲପିଣ୍ଡିରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ଜିତି ନେଇଛି ଇଂଲଣ୍ଡ। ପାକିସ୍ତାନକୁ ୭୪ ରନରେ ପରାସ୍ତ କରିଛି ବେନ୍ ଷ୍ଟୋକ୍ସଙ୍କ ଇଂଲଣ୍ଡ ଦଳ । ଏଥିସହିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି।
୨୨ ବର୍ଷ ପରେ ପାକିସ୍ତାନକୁ ତାର ମାଟିରେ ଇଂଲଣ୍ଡ ହରାଇବାରେ ସଫଳ ହୋଇଛି । ଏହି ମ୍ୟାଚରେ, ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୬୫୭ ରନ କରିଥିଲା । ସେହିପରି ପାକିସ୍ତାନ ତାର ପ୍ରଥମ ପାଳିରେ ୫୭୯ ରନ କରି ୭୮ ରନ ପଛରେ ରହିଥିଲା । ପୁଣି ଥରେ ଇଂଲଣ୍ଡ ତାର ଦିତୀୟ ପାଳିରେ ୨୬୪ କରି ପାଳି ଘୋଷଣା କରିଥିଲା। ଯାହାଫଳରେ ପାକିସ୍ତାନ ଆଗରେ ୩୪୩ ରନର ଲକ୍ଷ୍ୟ ରଖିଥିଲା ଇଂଲଣ୍ଡ। ଏହି ଲକ୍ଷ୍ୟକୁ ପିଛା କରୁଥିବା ପାକିସ୍ତାନ ଶେଷ ଦିନରେ ୨୬୮ରନରେ ତାର ସମସ୍ତ ୱିକେଟ ହରାଇ ପରାଜିତ ହୋଇଛି ।
ତେବେ ଏହି ମ୍ୟାଚରେ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଇଂଲଣ୍ଡର ଷ୍ଟାର ପେସ୍ ବୋଲର ଜେମ୍ସ ଆଣ୍ଡରସନ୍। ସେ ଅଧିକ ଓ୍ବିକେଟ ନେବା ମାମଲାରେ ଭାରତର ଅନୀଲ କୁମ୍ବେଲଙ୍କୁ ପଛରେ ପକାଇଛନ୍ତି। କୁମ୍ବଲେ ୯୫୬ ୱିକେଟ ନେଇଥିବା ବେଳେ ଆଣ୍ଡରସନ ଆନ୍ତର୍ଜାତୀୟ କ୍ରିକେଟରେ ୯୫୯ ୱିକେଟ ଅକ୍ତିଆର କରିଛନ୍ତି। ଜଣେ ପେସ ବୋଲର ଭାବେ ସେ ସର୍ବାଧିକ ୱିକେଟ ହାସଲ କରିବାରେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।
ତେବେ ଓଭରାଲ ୱିକେଟ ହାସଲରେ ପ୍ରଥମ ସ୍ଥାନରେ ରହିଛନ୍ତି ଶ୍ରୀଲଙ୍କାର ମୁଥୟା ମୁରଲୀଧରନ। ସେ ୧୩୪୭ ୱିକେଟ ନେଇଥିବା ବେଳେ ଅଷ୍ଟ୍ରେଲିଆର ଶେନ ୱର୍ଣ୍ଣ ୧୦୦୧ ୱିକେଟ ହାସଲ କରିଛନ୍ତି। ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୱିକେଟ ହାସଲ କରିବାରେ ଶୀର୍ଷରେ ରହିଛନ୍ତି ଆଣ୍ଡରସନ।