ଚଢ଼ିଗଲା ଧାନକଟା ମେସିନ, ଚାଲିଗଲା ନାବାଳକର ଜୀବନ
ଧାନକଟା ମେସିନ ଚାଳକଙ୍କ ଅସାବଧାନତା ପାଇଁ ନିମିଷକ ମଧ୍ୟରେ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିବା ଦ୍ୱାରା ବାଳକର ମୃତ୍ୟୁ ଘଟିଛି

ଓଏଲ୍ ବ୍ୟୁରୋ : ଧାନ ବିଲରେ ଚାଲିଗଲା ଜୀବନ। ଧାନକଟା ମେସିନ ଚଢ଼ିଯିବାରୁ ୮ବର୍ଷର ବାଳକର ମୃତ୍ୟୁ ଘଟିଥିବା ଜଣା ପଡିଛି। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଘଟିଥିବାବେଳେ ମୃତ ବାଳକ ଜଣଙ୍କ ପଟ୍ଟାମୁଣ୍ଡାଇର ସନ୍ନ୍ୟାସୀ ମଳିକଙ୍କ ପୁଅ ଶିବୁ ମଳିକ। ଗତକାଲି ସନ୍ନ୍ୟାସୀ ନିଜ ବିଲରେ ଧାନ କାଟୁଥିବା ସମୟରେ ତାଙ୍କୁ ଶୋଷ ହେବାରୁ ସେ ପିଇବା ପାଣି ଆଣିବା ପାଇଁ ଘରକୁ ଖବର ଦେଇଥିଲେ। ତାଙ୍କ ପତ୍ନୀ ପୁଅ ଶିବୁଙ୍କ ହାତରେ ପିଇବା ପାଣି ପଠାଇଥିଲେ। ନିକଟରେ ଥିବା ଭେଡ଼ାରେ ଧାନକଟା ମେସିନ ଦ୍ୱାରା ଧାନ ଅମଳ ହେଉଥିଲା।
ଶିବୁ ପାଣି ନେଇ ବାପାଙ୍କ ନିକଟକୁ ଆସୁଥିବା ବେଳେ ପାଖ ବିଲରେ ଧାନ ଅମଳ କାର୍ଯ୍ୟରେ ନିୟୋଜିତ ଥିବା ଧାନକଟା ମେସିନଟି ଶିବୁଙ୍କୁ ଜୋରରେ ଧକ୍କା ଦେଇ ପରେ ତାଙ୍କ ଉପରେ ମାଡି ଯାଇଥିଲା। ଧାନକଟା ମେସିନ ଚାଳକଙ୍କ ଅସାବଧାନତା ପାଇଁ ନିମିଷକ ମଧ୍ୟରେ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିବା ଦ୍ୱାରା ବାଳକର ମୃତ୍ୟୁ ଘଟିଛି। ଘଟଣା ସ୍ଥଳରୁ ଶିଶୁଙ୍କୁ ଚିକିତ୍ସାଳୟ ନିଆଯାଇଥିଲା। ଶିଶୁଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲ ନେଇଯାଉଥିଲେ। ଚିକିତ୍ସାଳୟ ଯିବା ବାଟରେ ହିଁ ନାବାଳକର ମୃତ୍ୟୁ ଘଟିଥିବା ଜଣା ପଡିଛି।