କାଲିଠୁ ରାଜଧାନୀ ଭୁବନେଶ୍ୱରରେ ପଥୋତ୍ସବ
ନିଜର କଳାକୁ ପରିପ୍ରକାଶ କରିବା ପାଇଁ ସମସ୍ତଙ୍କୁ ସୁଯୋଗ ଦିଆଯିବ ବୋଲି ବିଏମସି ପକ୍ଷରୁ ସୂଚନା

ଓଏଲ୍ ବ୍ୟୁରୋ : କାଲିଠୁ ଭୁବନେଶ୍ୱରରେ ପୁଣି ଆରମ୍ଭ ହେବାକୁ ଯାଉଛି ପଥୋତ୍ସବ। ବିଏମସି ପକ୍ଷରୁ ପଥୋତ୍ସବ ଆରମ୍ଭ ହେବାର ସୂଚନା ଦିଆଯାଇଛି । ପଥୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଜାନୁଆରୀ ୧ ନୂଆବର୍ଷ ପଡୁଥିବାରୁ ଏହି ଦିନ ପଥୋତ୍ସବ ବନ୍ଦ ରହିବ ଏବଂ ରବିବାର ଅର୍ଥାତ ଜାନୁଆରୀ ୮ ତାରଖରୁ ପୁଣି ଏହା ଆରମ୍ଭ ହେବ।୨ବର୍ଷର କରୋନା କଟକଣା ପାଇଁ ପଥୋତ୍ସବ ବନ୍ଦ ଥିବାବେଳେ ଏବର୍ଷ ଅନୁଷ୍ଠିତ ହେବ। ଯାହାକୁ ନେଇ ଭୁବନେଶ୍ୱର ବାସୀଙ୍କ ମନରେ ଉତ୍ସାହ ଦେଖା ଦେଇଛି।
ପ୍ରଥମ ପଥୋତ୍ସବ ମାଷ୍ଟର କ୍ୟାଣ୍ଟିନଠାରୁ ରାମମନ୍ଦିର ଜନପଥରେ ସାଢେ ୬ଟାରୁ ୯ଟା ପର୍ଯ୍ୟନ୍ତ ଆୟୋଜିତ ହେବ। ୨ୟ ପଥୋତ୍ସବ ଉତ୍ତର ନିର୍ବାଚନମଣ୍ଡଳୀ ଅର୍ଥାତ କିଟ ଛକ ଓ ତୃତୀୟ ପଥୋତ୍ସବ ଏକାମ୍ର ନିର୍ବାଚନ ମଣ୍ଡଳୀରେ ହେବ। ଆଗରୁ ୨ଟି ମଞ୍ଚ ହେଉଥିବାବେଳେ ଏଥର ୩ଟି ମଞ୍ଚ କରାଯିବାର କାର୍ଯ୍ୟକ୍ରମ ରହିଛି। ବିଏମସି ଦେଇଥିବା ସୂଚନା ଅନୁଯାୟୀ, ଏଥର କର୍ପୋରେଟରମାନେ ଏହାର ଦାୟିତ୍ୱ ନେବେ।
ନୂଆଟାଲେଣ୍ଟ ସହ ପୂର୍ବଥର ପରି ଏଥର ମଧ୍ୟ ଯୋଗ, ଲାଇଭ ପେଣ୍ଟିଂ, ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ପରୀକ୍ଷା ଇତ୍ୟାଦି ରହିବ। ଏହାବ୍ୟତୀତ କଳାକାରମାନେ ମଧ୍ୟ ପଥୋତ୍ସବ ମଞ୍ଚରେ କାର୍ଯ୍ୟକ୍ରମ ପରିବେଷଣ କରିପାରିବେ। ନିଜର କଳାକୁ ପରିପ୍ରକାଶ କରିବା ପାଇଁ ସମସ୍ତଙ୍କୁ ସୁଯୋଗ ଦିଆଯିବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି। ପଥ ଉତ୍ସବକୁ ନେଇ ଭୁବନେଶ୍ୱର ବାସୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିବା ଜଣା ପଡିଛି।