ସରକାର କିଏ ଚଳାଉଛି,ରତ୍ନଭଣ୍ଡାର ଚାବି ଗଲା କୁଆଡ଼େ : ଜେପି ନଡ୍ଡା
![](https://www.odishalink.com/wp-content/uploads/2022/12/JP-Nadda-1-750x430.jpg)
ଓଏଲ୍ ବ୍ୟୁରୋ: କନ୍ଧମାଳ ତୁମୁଡ଼ିବନ୍ଧରେ ଏକ ଜନସଭାକୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଜୟ ଜଗନ୍ନାଥରୁ ସେ ନିଜର ଅଭିଭାଷଣ ରଖିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସିଧି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ରାଜ୍ୟବାସୀଙ୍କ ହିତ କଥା କହୁଥିବା ନବୀନ ବାବୁ ଆୟୁଷ୍ମାନ ଭାରତ ଯୋଜନାରୁ ୬୦ ଲକ୍ଷ ଲୋକଙ୍କୁ ବଞ୍ଚିତ କରୁଛନ୍ତି। ମୋଦି ସ୍ୱାସ୍ଥ୍ୟସେବା ଦେବାକୁ ଚାହୁଁଛନ୍ତି ହେଲେ ନବୀନ ସେଥିରେ ବାଧା ସୃଷ୍ଟି କରୁଛନ୍ତି । ଏଭଳି ସରକାରକୁ ଏଠାରେ ରଖାଯିବା ଉଚିତ କି ବୋଲି ପଚାରିଲେ ନଡ୍ଡା। ଏଭଳି ସରକାରକୁ ଆଗାମୀ ନିର୍ବାଚନରେ ହଟାଇବାକୁ ଆହ୍ୱାନ ଦେଲେ। ଏଥିସହିତ ରାଜ୍ୟରେ ବିଜେପି ସରକାର ଆସିଲେ ପ୍ରଥମେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ ବୋଲି କହିଛନ୍ତି ଶ୍ରୀ ନଡ୍ଡା।
ପ୍ରଭୁ ଜଗନ୍ନାଥର ରତ୍ନଭଣ୍ଡାର ସୁରକ୍ଷା କାହିଁକି କରାଯାଉନାହିଁ ଓ ଏହାର ଚାବି କୁଆଡେ ହଜିଗଲା? ୪ ବର୍ଷରେ ଓଡ଼ିଶା ବିଶ୍ବବିଦ୍ୟାଳୟ ଖୋଲିବା କହିଥିଲେ, ତାହା କୁଆଡ଼େ ଗଲା? ନୟାଗଡ଼ର ଚିନକଳ ଖୋଲିବା କଥା କହିଥିଲେ, କିନ୍ତୁ ତାହା ବି ହୋଇପାରିଲା ନାହିଁ। ଏହା କିପରି ଶୋଇରହିଥିବା ସରକାର ? କିଏ ସରକାର ଚଳାଉଛି ତାହା ଜଣାପଡୁନାହିଁ ବୋଲି ନଡ୍ଡା କହିଛନ୍ତି ।
ମହିଳା ବିରୋଧୀ ଅପରାଧରେ ଓଡ଼ିଶାରେ ଦ୍ବିଗୁଣ ହୋଇଗଲାଣି। ଓଡ଼ିଶାରେ ମାନବ ଚାଲାଣ ବଢିଚାଲିଛି। ଆଦିବାସୀ ଓ ଦଳିତଙ୍କ ଉପରେ ଅତ୍ୟାଚାର ହେଉଛି। ଅପରାଧୀମାନେ ଏବେ ପୁଲିସ ଉପରେ ବି ଆକ୍ରମଣ କରୁଛନ୍ତି। ଅର୍ଥାତ ରକ୍ଷକ ଉପରେ ବି ଆକ୍ରମଣ ହେଉଛି। ଏପରି ସରକାର ରହିବା ଉଚିତ କି ବୋଲି ଜନସାଧାରଣଙ୍କୁ ପ୍ରଶ୍ନ କରିଥିଲେ ଶ୍ରୀ ନଡ୍ଡା ।