ଗୁଳିକାଣ୍ଡର ଶିକାର ହୋଇଥିବା ଓଡ଼ିଶାର ରାଜନେତା
୨୦୦୦ ମସିହା ପର ଠାରୁ ବିଭିନ୍ନ ସମୟରେ ପାଞ୍ଚ ଜଣ ନିର୍ବାଚିତ ଜନପ୍ରତିନିଧି(ସାଂସଦ, ବିଧାୟକ) ସିଧାସଳଖ ଆକ୍ରମଣର ଶିକାର ହୋଇଥିବା କୁହାଯାଉଛି
![](https://www.odishalink.com/wp-content/uploads/2023/01/FIRING-750x430.jpg)
ଓଏଲ୍ ବ୍ୟୁରୋ : ରକ୍ଷକ ସାଜିଲା ଭକ୍ଷକ। ପୁଲିସ ଅଧିକାରୀଙ୍କ ଗୁଳିରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦେହାନ୍ତ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶାନ୍ତିପ୍ରିୟ ରାଜ୍ୟରେ ଏଭଳି ଅଶାନ୍ତ ପରିସ୍ଥିତି ଆଶ୍ଚର୍ଯ୍ୟ କରିଛି। ରାଜନେତା ଗୁଳିକାଣ୍ଡର ଶିକାର ହେବା ଆଜି ନୂଆ ଘଟଣା ନୁହେଁ ପୂର୍ବରୁ ରାଜ୍ୟରେ ଆହୁରି ରାଜନେତା ଗୁଳିକାଣ୍ଡ ସମ୍ମୁଖୀନ ହୋଇଥିଲେ। ହୁଏତ ସମସ୍ତଙ୍କ ଆକ୍ରମଣ ତରିକା ଭିନ୍ନ ଭିନ୍ନ ହେଲେ ଘଟଣା ସମାନ।
ସୂଚନା ଅନୁସାରେ, ୨୦୦୦ ମସିହା ପର ଠାରୁ ବିଭିନ୍ନ ସମୟରେ ପାଞ୍ଚ ଜଣ ନିର୍ବାଚିତ ଜନପ୍ରତିନିଧି(ସାଂସଦ, ବିଧାୟକ) ସିଧାସଳଖ ଆକ୍ରମଣର ଶିକାର ହୋଇଥିବା କୁହାଯାଉଛି। ୨୦୧୧ ମସିହାରେ ତତ୍କାଳୀନ ବିଧାୟକ ଜଗବନ୍ଧୁ ମାଝୀଙ୍କୁ ହତ୍ୟା କରାଯାଇଥିଲା ବେଳେ ତାହାର ୧୨ ବର୍ଷ ପରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଗଲା।
୨୦୧୧ ମସିହାରେ ଉମରକୋଟର ତତ୍କାଳୀନ ବିଜେଡି ବିଧାୟକ ଜଗବନ୍ଧୁ ମାଝୀ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ୍ରେ ଜମି ପଟ୍ଟା ବାଣ୍ଟୁଥିଲା ବେଳେ ତାଙ୍କୁ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ଦୁଇ ଜଣ ଦୁର୍ବୁତ୍ତ ଗୁଳି କରିଥିଲେ। ଏଥିରେ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।
୨୦୧୪ ମସିହା ଫେବ୍ରୁଆରି ମାସରେ ତତ୍କାଳୀନ ଆଇନ ମନ୍ତ୍ରୀ ମହେଶ୍ବରଙ୍କୁ ତାଙ୍କ ପୁରୀସ୍ଥିତ ଘର ନିକଟରେ ଆତତାୟୀମାନେ ଗୁଳି ମାରିଥିଲେ। ଏକ କାର୍ଯ୍ୟକ୍ରମ ସାରି ନିଜେ ସ୍କୁଟି ଚଳାଇ ଘରକୁ ଫେରୁଥିଲା ବେଳେ ତାଙ୍କୁ ଗୁଳିମାଡ଼ ହୋଇଥିଲା। ଘଟଣାସ୍ଥଳରେ ସେ ଗାଡ଼ିରୁ ଟଳିପଡ଼ିବା ପରେ କଳିଙ୍ଗ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିଲା ଓ ଶ୍ରୀ ମହାନ୍ତି ସୁସ୍ଥ ହୋଇଥିଲେ।
୨୦୦୯ ମସିହା ଅକ୍ଟୋବର ମାସରେ ତତ୍କାଳୀନ ଜେଏମ୍ଏମ୍ ସାଂସଦ ସୁଦାମ ମାର୍ଣ୍ଡିଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ବଣ୍ଡାବୋଠାରେ ଏକ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟକୁ ଯାଇଥିବା ସମୟରେ ସୁଦାମଙ୍କ ଉପରକୁ ଗୁଳି ହୋଇଥିବା ଜଣା ପଡିଥିଲା। ସେ ଅଳ୍ପକେ ରକ୍ଷା ପାଇଯାଇଥିଲା ବେଳେ ତାଙ୍କୁ ସୁରକ୍ଷା ଦେବାକୁ ଯାଇ ଜଣେ ଏଏସ୍ଆଇ, ଜଣେ କନେଷ୍ଟବଳ ଓ ତାଙ୍କର ପିଏସ୍ଓଙ୍କ ମୃତ୍ୟୁ ହୋଇଥିଲା।
୨୦୦୭ ମସିହାରେ ଚମ୍ପୁଆର ତତ୍କାଳୀନ କଂଗ୍ରେସ ବିଧାୟକ ଧୁନର୍ଜୟ ସିଦ୍ଧୁଙ୍କୁ ବଡ଼ବିଲ୍ରେ ଗୁଳି କରାଯାଇଥିଲା। ତେବେ ଶ୍ରୀ ସିଦ୍ଧୁ ବର୍ତ୍ତିଯାଇଥିଲେ। ଏହିଭଳି କିଛି ବିଭତ୍ସ ଗୁଳିକାଣ୍ଡ ଏବଂ ଆକ୍ରମଣ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ।