‘ଗୋପାଳକୁ ମୋହରା କରାଯାଇଛି, ସିବିଆଇ ତଦନ୍ତ ହେଲେ ଗୁମର ଖୋଲିବ’
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମର୍ଡର ପଛରେ ରହିଛନ୍ତି ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତା।
![](https://www.odishalink.com/wp-content/uploads/2023/02/subas.jpg)
ଓଏଲ୍ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି କରିଛି। ହତ୍ୟାକାରୀ ପୁଲିସ କର୍ମଚାରୀ ଗୋପାଳକୁ ଗିରଫ କରି ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୁଲିସ। ତେବେ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହି ଘଟଣାକୁ ନେଇ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମର୍ଡର ପଛରେ ରହିଛନ୍ତି ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତା।
ଗୋପାଳକୁ ଏହି ହତ୍ୟାକାଣ୍ଡରେ କେବଳ ମୋହରା ବନାଯାଇଛି। ନବ ଦାସଙ୍କର ବହୁତ ଗୁଡିଏ ବିଜନେସ୍ ଥିଲା, ବଡ଼ ସାମ୍ରାଜ୍ୟ ରହିଥିଲା। ପଶ୍ଚିମ ଓଡିଶାର ଟାଣୁଆ ନେତା ଥିଲେ ସେ। ତାଙ୍କ ସାମ୍ରାଜ୍ୟକୁ ଖତମ କରି ସେଠୁ ଟଙ୍କା କଲେକ୍ସନ କରିବା ପାଇଁ କେହି ଜଣେ ନେତା ଏହି ହତ୍ୟାକାଣ୍ଡ କରାଇଛନ୍ତି। ସମ୍ପୂର୍ଣ୍ଣ ଭାବେ ଷଡ଼ଯନ୍ତ୍ର କରି ନବ ଦାସଙ୍କୁ ମାରି ଦିଆଯାଇଛି। ବିଜିନେସ ପାଇଁ ତାଙ୍କୁ ପଲିଟିକାଲି ମର୍ଡର କରାଯାଇଛି। ସେଠି ନବ ଦାସଙ୍କର ବିଜିନେସ ଯେପରି ଚାଲୁଥିଲା କିଛି ପଲିଟିକାଲ ଲୋକ ସେ ସାମ୍ରାଜ୍ୟକୁ ଅଧିକାର କରିବା ପାଇଁ ଏହି ମର୍ଡର କରିଛନ୍ତି।
ବିଜେଡି ଦଳର ନେତା ଏହି ହତ୍ୟାକାଣ୍ଡ ପଛରେ ସମ୍ପୃକ୍ତି ରହିଥିବା ସେ ଅନୁମାନ କରୁଥିବା କହିଛନ୍ତି । ବହୁତ ବଡ଼ ନେତା ଏହି ହତ୍ୟାକାଣ୍ଡ ପଛରେ ଅଛନ୍ତି। ପଶ୍ଚିମ ଓଡିଶାର ନେତା ନୁହେଁ ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତା ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ ରହିଛନ୍ତି। ସିବିଆଇ ତଦନ୍ତ ହେଲେ ଏ ସବୁ କିଛିର ଗୁମର ଖୋଲିଯିବ ବୋଲି କହିଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ।