‘ମୋ ପୁଅ କଂଗ୍ରେସରୁ ଲଢ଼ିବ’
ମୋତେ ୮୦ ଛୁଇଁଲାଣି, ତେଣୁ ୨୦୨୪ ନିର୍ବାଚନରେ ଆଉ ମୁଁ ଲଢ଼ି ପାରିବିନି।
ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଲାଣି। ଆଗାମୀ ନିର୍ବାଚନ ପାଇଁ କେଉଁ ଦଳରୁ କିଏ ଲଢ଼ିବ, ଆଉ କିଏ ଦଳ ତ୍ୟାଗ କରିବ ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ କଂଗ୍ରେସର ଲୋକପ୍ରିୟ ନେତା ସୁରେଶ ରାଉତରାୟ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ମୋତେ ୮୦ ଛୁଇଁଲାଣି, ତେଣୁ ୨୦୨୪ ନିର୍ବାଚନରେ ଆଉ ମୁଁ ଲଢ଼ି ପାରିବିନି। ମୁଁ ନୁହେଁ, ମୋ ସାନ ପୁଅ ନିର୍ବାଚନ ଲଢ଼ିବ। ଏଥର ମୋ’ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ମଇଦାନକୁ ଓହ୍ଲାଇବ। ମୋ ପୁଅ ଲଢ଼ିବ ତ କଂଗ୍ରେସରୁ ଲଢ଼ିବ।
ଦୀର୍ଘ ଦିନ ହେବ ସୁର ରାଉତରାୟ ରାଜନୀତି ଛାଡ଼ିବା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ। ମୁଁ ୫୫ ବର୍ଷ ହେଲାଣି କଂଗ୍ରେସରେ ଅଛି। ତେଣୁ ମୋ’ ଜନ୍ମ କଂଗ୍ରେସରେ ଓ ମୃତ୍ୟୁ ବି ଏଇଠି। କଂଗ୍ରେସ ଛଡ଼ା କୁଆଡ଼େ ଯିବାର ପ୍ରଶ୍ନ ବି ନାହିଁ। କେବଳ ମୁଁ ନୁହେଁ, ମୋ ପିଲା ବି ସମ୍ପୂର୍ଣ୍ଣ ରୂପେ କଂଗ୍ରେସ ସମର୍ଥକ। ଆଉ ସାନ ପୁଅ ବି କଂଗ୍ରେସ ଟିକେଟରୁ ହିଁ ନିର୍ବାଚନ ଲଢ଼ିବ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି।
ଗତକାଲି ସୁର ରାଉତରାୟ ନିଜ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଭେଟିଥିଲେ। ଏହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସୁର ରାଉତରାୟଙ୍କ ବଡ଼ ପୁଅ ବିଜେଡିରେ ଯୋଗ ଦେଉଥିବା ଚର୍ଚ୍ଚା ଜୋର ଧରିଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମ୍ପର୍କରେ ପଚାରିବାରୁ ସୁର ରାଉତରାୟ କହିଛନ୍ତି, ତାହା ସମ୍ପୂର୍ଣ୍ଣ ରୂପେ ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା, ସେଥିରେ କୌଣସି ରାଜନୀତିକରଣ ନାହିଁ। ମୋ’ ବଡ଼ ପୁଅ ବିଶ୍ୱର ୫ଟି ବଡ଼ ବଡ଼ ପାହାଡ଼ ଚଢ଼ି ରେକର୍ଡ କରି ସାରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଅବଗତ କରାଇଥିଲା। ସାକ୍ଷାତକାରରେ କେବଳ ବଡ଼ ପୁଅ କଥା ଚର୍ଚ୍ଚା ହେଲା, କୌଣସି ରାଜନୈତିକ ଚର୍ଚ୍ଚା ହୋଇନି ବୋଲି ସ୍ପଷ୍ଟ କରିଛନ୍ତି ବିଧାୟକ ସୁର ରାଉତରାୟ। ମୋ’ ଜନ୍ମ କଂଗ୍ରେସରେ ଓ ମୃତ୍ୟୁ ବି ଏଇଠି। କଂଗ୍ରେସ ଛଡ଼ା କୁଆଡ଼େ ଯିବାର ପ୍ରଶ୍ନ ବି ନାହିଁ ବୋଲି କହିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ।