ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ: ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି
ଗୃହର ମଧ୍ୟ ଭାଗକୁ ଆସି ବିଜେପି ଏବଂ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଥିଲେ।

ଓଏଲ୍ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳ-ବିରୋଧୀ ମୁହାଁମୁହିଁ ହୋଇଥିବା ଜଣା ପଡୁଛି। ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା। ମାଟ୍ରିକ ପରକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ହଟ୍ଟଗୋଳ ହୋଇଥିବା ସୂଚନା ମିଳିଛି। ଗୃହର ମଧ୍ୟ ଭାଗକୁ ଆସି ବିଜେପି ଏବଂ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଥିଲେ। ବିରୋଧୀଙ୍କ ହୋହଲ୍ଲା ପାଇଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।
ସୂଚନା ଅନୁସାରେ, ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟିକୁ ନେଇ ଅଭିଯୋଗ ହୋଇଥିଲା। ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗକୁ ସ୍ବୀକାର କରିଥିଲା ବୋର୍ଡ। ପ୍ରଶ୍ନପତ୍ର ତ୍ରୁଟି ହୋଇଥିବା ଅଭିଯୋଗ ମାନିବା ସହ ବୋର୍ଡ ସଭାପତି ମୁଦ୍ରଣ ଜନିତ ତ୍ରୁଟିରୁ ଏଭଳି ହୋଇଛି କହିଥିଲେ। ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏହି ଭଳି ମୁଦ୍ରଣ ଜନିତ ତ୍ରୁଟି ହୋଇଥିବା କହିଥିଲେ ବୋର୍ଡ ସଭାପତି। କ’ଣ ପାଇଁ ତ୍ରୁଟି ହୋଇଛି ଏହା ଉପରେ ତଦନ୍ତ କରାଯିବ। ଏଭଳି ତ୍ରୁଟି ପୁନର୍ବାର ହେବ ନାହିଁ ସୂଚନା ଦେଇଥିଲେ ବୋର୍ଡ ସଭାପତି ରାମଶିଷ ହାଜରା। କିଛି ସେଣ୍ଟରରେ ଏହି ଭଳି ତ୍ରୁଟି ହୋଇଥିବା କହିଥିଲା ବୋର୍ଡ। ଅଳ୍ପ ଛାତ୍ରଛାତ୍ରୀ ଏଭଳି ପ୍ରଶ୍ନପତ୍ର ପାଇଥିଲେ। ତେବେ ପ୍ରଶ୍ନପତ୍ର ଲିକ ହେବାକୁ ନେଇ ମଧ୍ୟ ଅନେକ ଖବର ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଗୃହରେ ହଟ୍ଟଗୋଳ ହୋଇଛି।