Odisha Link
Bridging the Missing Links in Odisha

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଘଟଣା: ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ମୋହନ ମାଝୀ

ପ୍ରଶ୍ନକାଳରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ କଂଗ୍ରେସ ଓ ବିଜେପିର ସଦସ୍ୟ।

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା। ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ହଟ୍ଟଗୋଳ ହୋଇଥିବା ସୂଚନା ମିଳିଛି। ଗୃହର ମଧ୍ୟ ଭାଗକୁ ଆସି ବିଜେପି ଏବଂ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଥିଲେ। ପ୍ରଶ୍ନକାଳରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ କଂଗ୍ରେସ ଓ ବିଜେପିର ସଦସ୍ୟ। ପିଲାଙ୍କ ଭବିଷ୍ୟତ ସହ କିଏ ଖେଳୁଛି ବୋଲି କହି ନାରାବାଜି କରିଥିଲେ ବିରୋଧୀ ସଦସ୍ୟ। ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ସେମାନେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶଙ୍କ ଇସ୍ତଫା ଦାବି କରିଥିଲେ। ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ୍ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ।

ଅନ୍ୟପକ୍ଷେ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ କହିବା ଅନୁସାରେ, ସକାଳ ୭ଟା ୨୦ରେ ପୁରୀ ଜିଲ୍ଲାରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ ହୋଇଛି। ପିଲାଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି ସରକାର। ବାରମ୍ବାର ପରୀକ୍ଷା ପ୍ରଶ୍ନପତ୍ର ଲିକ ହେଉଥିବାରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି। ତେବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ସେ କହିଥିଲେ, କୌଣସି ବି ପ୍ରଶ୍ନପତ୍ର ଲିକ୍ ହୋଇନାହିଁ। ପୂର୍ବରୁ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଏହା ମୁଦ୍ରଣ ଜନିତ ତ୍ରୁଟି। ଛାତ୍ରଛାତ୍ରୀ କି ଅଭିଭାବକ ବ୍ୟସ୍ତ ହେବା ଦରକାର ନାହିଁ। ମାର୍କିଂ ସମୟରେ ପିଲାମାନଙ୍କ ସ୍ୱାର୍ଥକୁ ଦେଖାଯିବ ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି। ତେବେ ପ୍ରଶ୍ନ ପତ୍ର ଲିକ ହେବା ନେଇ ଆମ ପାଖରେ କୌଣସି ତଥ୍ୟ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଆଜି ଅର୍ଥାତ ମାର୍ଚ୍ଚ ୨୦ରେ ଶେଷ ହୋଇଛି ମାଟ୍ରିକ ବୋର୍ଡ ପରୀକ୍ଷା। ଶେଷ ଦିନରେ ଗଣିତ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ଦିଆଯାଇଥିଲା। ତେବେ ପରୀକ୍ଷା ଶେଷ ହେବା ପରେ ପରୀକ୍ଷା ଖାତା ଦେଖା ନେଇ ସୂଚନା ପ୍ରକାଶ ପାଇଛି। ଆସନ୍ତା ଏପ୍ରିଲ ୩ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା। ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତାଗୁଡିକ ସୁରକ୍ଷାରେ ଯିବ। ତେବେ ୪୫ଦିନ ଭିତରେ ଖାତା ଦେଖା ସମ୍ପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି। ତେବେ ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।

Leave A Reply

Your email address will not be published.