Odisha Link
Bridging the Missing Links in Odisha

ରଥଯାତ୍ରା ପାଇଁ ଘୁମୁସର ବନଖଣ୍ଡରୁ ଚିହ୍ନଟ ହେଲା ୨୯ଟି ଗଛ

ଗତ କିଛି ଦିନ ପୂର୍ବରୁ ରଥଯାତ୍ରା କମିଟିର କିଛି ସେବାୟତ ଉତ୍ତର ଘୁମୁସର ବନଖଣ୍ଡର କର୍ମଚାରୀ ମିଶି ବିଭିନ୍ନ ଜଙ୍ଗଲରେ ରଥ କାଠ ଖୋଜାଖୋଜି କରୁଥିଲେ।

ଓଏଲ୍‌ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ପାଳିତ ହେଉଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ରହିଲା ମାତ୍ର ୩ମାସ। ରଥ ନିର୍ମାଣ କାର୍ଯ୍ୟ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଘୁମୁସର ବନଖଣ୍ଡରୁ ୨୯ଟି ଗଛ ଚିହ୍ନଟ କଲେ ସେବାୟତ। ଗତ କିଛି ଦିନ ପୂର୍ବରୁ ରଥଯାତ୍ରା କମିଟିର କିଛି ସେବାୟତ ଉତ୍ତର ଘୁମୁସର ବନଖଣ୍ଡର କର୍ମଚାରୀ ମିଶି ବିଭିନ୍ନ ଜଙ୍ଗଲରେ ରଥ କାଠ ଖୋଜାଖୋଜି କରୁଥିଲେ। ତେବେ ଏହା ଭିତରେ ରଥ କାଠ ଉପଯୋଗୀ ୩ଟି ଗଛକୁ ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳର ପୁରୁଣା ପାଣି ଜଙ୍ଗଲରୁ ଚିହ୍ନଟ ହୋଇଛି।

ଠିକ୍ ସେହିଭଳି ଆଖପାଖ ରେଞ୍ଜ ତାରସିଂ ଓ ମୂଜଗଡ ବାଇବାଲି ଅଞ୍ଚଳରୁ ୨୬ ଟି ଗଛ ଚିହ୍ନଟ କରାଯାଇଛି। ରଥ ୟାତ୍ରା କାଠ ଚିହ୍ନଟ ପ୍ରକ୍ରିୟାରେ ପୁରୀ ମନ୍ଦିର ପ୍ରଶାସନ ସେବାୟତ ସୁଦର୍ଶନ ମେକାପଙ୍କ ସହ ୬ଜଣ ସେବାୟତ ଦଳ ଆସିଥିଲେ। ରଥକାଠ ଚିହ୍ନଟ ପ୍ରକ୍ରିୟାରେ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ରେଞ୍ଜର ବିମ୍ବାଧର ସାହୁ, କୁମର ବେହେରା ଓ ଅଞ୍ଚଳବାସୀ ସହଯୋଗ କରିଥିଲେ। ତେବେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କାଠ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହେଲେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ପୂର୍ବରୁ, ରଥଯାତ୍ରା ପାଇଁ ପୁରୀକୁ ଯାଇଥିଲା ପ୍ରଥମ ପର୍ଯ୍ୟାୟ ରଥକାଠ। ନୟାଗଡରୁ ବିଧି ଅନୁସାରେ ପୁରୀକୁ ଶ୍ରୀକ୍ଷେତ୍ରକୁ ରଥଯାତ୍ରା ପାଇଁ ରଥକାଠ ପଠାଯାଇଥିଲା। ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ଏହି ରଥକାଠ ରଥନିର୍ମାଣ ପାଇଁ ଶ୍ରୀମନ୍ଦିରକୁ ପଠାଯାଇଥିଲା। ବଡ଼ଦେଉଳକୁ ପ୍ରଥମ ପର୍ଯ୍ୟାୟରେ ୩ଟି ଗାଡ଼ିରେ ୧୦୪ ଖଣ୍ଡ କାଠ ଯାଇଥିଲା। ଶ୍ରୀମନ୍ଦିରକୁ ବିଧି ଅନୁଯାୟୀ ଦଶପଲ୍ଲାରୁ ପଠାଯାଇଥିବା କାଠ ମଧ୍ୟରୁ ଅସନ କାଠ ୭୧ ଖଣ୍ଡ ଏବଂ ଧଉରା କାଠ ୩୩ ଖଣ୍ଡ ଥିବା ଜଣା ପଡିଥିଲା। ବିଧି ଅନୁଯାୟୀ ଶ୍ରୀପଞ୍ଚମୀ ଦିନ ରଥକାଠ ଅନୁକୂଳ ହୋଇଥିଲା।

Leave A Reply

Your email address will not be published.