ଓଡ଼ିଶାର ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୦୬ ଜଣ ପଦ୍ମ ପୁରସ୍କୃତଙ୍କ ମଧ୍ୟରୁ ୫୪ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଗତ ଜାନୁଆରୀ ୨୬ ତାରିଖରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫୪ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ମାଗୁଣି ଚରଣ କୁଅଁର। ୬ ଦଶନ୍ଧି ଧରି ବିଲୁପ୍ତପ୍ରାୟ କାଠ କଣ୍ଢେଇ ନୃତ୍ୟକୁ ବଞ୍ଚାଇ ରଖିଥିବା କେନ୍ଦୁଝରର ମାଗୁଣିଙ୍କୁ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ପଦ୍ମବିଭୂଷଣ ପାଇଥିବା ୬ ଜଣ କୃତୀଙ୍କ ମଧ୍ୟରେ ଅଛନ୍ତି ଜାକିର ହୁସେନ (କଳା), ଏସ୍ଏମ୍ କ୍ରିଷ୍ଣା (ଜନ ବ୍ୟାପାର) ଓ ଶ୍ରୀନିବାସ ବର୍ଦ୍ଧନ (ବିଜ୍ଞାନ ଓ ଇଂଜିନିୟରିଂ)। ଅନ୍ୟ ତିନିଜଣ ହେଉଛନ୍ତି ବାଲକୃଷ୍ଣ ଦୋଶୀ (ସ୍ଥାପତ୍ୟ- ମରଣୋତ୍ତର), ଦିଲୀପ ମହାଲନବିସ (ଔଷଧ-ମରଣୋତ୍ତର) ଓ ମୁଲାୟମ ସିଂହ ଯାଦବ (ଜନ ବ୍ୟାପାର- ମରଣୋତ୍ତର)।
ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍.ଏମ୍. କ୍ରିଷ୍ଣାଙ୍କୁ ପଦ୍ମ ବିଭୂଷଣ ଏବଂ ବିଶିଷ୍ଟ ଶିଳ୍ପପତି ତଥା ଆଦିତ୍ୟ ବିର୍ଲା ଗ୍ରୁପ୍ ଚେୟାରମ୍ୟାନ କୁମାର ମଙ୍ଗଲମ ବିର୍ଲାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଛି। କୁମାର ମଙ୍ଗଳମ୍ ବିର୍ଲା, ଯେ କି ବିର୍ଲା ପରିବାରର ପଦ୍ମ ପୁରସ୍କାର ପାଇଥିବା ଚତୁର୍ଥ ବ୍ୟକ୍ତି।