କରୋନା ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା, ୩ ହଜାର ଟପିଲା ଦୈନିକ ସଂକ୍ରମଣ
୨୪ ଘଣ୍ଟା ମଧ୍ୟରେ ୨,୧୫୧ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଥିଲା।

ଓଏଲ୍ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା। ପୁଣି ଡ଼ରାଇଲାଣି କରୋନା ମହାମାରୀ। କିଛି ମାସର ବ୍ୟବଧାନ ପରେ ଆଜି ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ୪୦ ପ୍ରତିଶତ ବଢ଼ିଗଲାଣି ଦୈନିକ ସଂକ୍ରମଣ। ଏବେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାର ଟପିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୩ ହଜାର ୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସକ୍ରିୟ ଆକାନ୍ତଙ୍କ ସଂଖ୍ୟା ମଧ୍ୟ ୧୩ ହଜାର ୫୦୯ ଛୁଇଁଛି। ଲଗାତାର କିଛି ଦିନ ହେଲା ଦୈନିକ ସଂକ୍ରମଣ ହଜାର ଉପରେ ରହୁଥିବା ବେଳେ ଏବେ ଏହା ୩ ହଜାର ଛୁଇଁଛି। ଗତବର୍ଷ ଅକ୍ଟୋବର ୩ ତାରିଖ ପରଠାରୁ ଏତେ ସଂଖ୍ୟକ ସୈନିକ ସଂକ୍ରମଣ ମାମଲା ସାମ୍ନାକୁ ଆସିନଥିଲା। ସଂକ୍ରମଣ ବଢୁଥିବା ରାଜ୍ୟଗୁଡିକୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ପୂର୍ବରୁ ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୨,୧୦୦ ରୁ ଅଧିକ ହୋଇଥିବାବେଳେ, ଏହା ୫ ମାସରେ ସର୍ବାଧିକ ବୋଲି କୁହାଯାଉଥିବା ଖବର ସାମ୍ନାକୁ ଆସିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୧୫୧ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଥିଲା। ଗତବର୍ଷ ଅକ୍ଟୋବର ୨୮ ତାରିଖ ଦିନ ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ୨,୨୦୮ ହୋଇଥିବା ରେକର୍ଡ କରାଯାଇଥିଲା।