ଚିନ୍ତା ବଢ଼ାଇଲାଣି କରୋନା ମହାମାରୀ, ଦେଶରେ ୭ହଜାର ଟପିଲା ଦୈନିକ ସଂକ୍ରମଣ
ଆକ୍ଟିଭ କେସ୍ ସଂଖ୍ୟା ୪୦ ହଜାର ୨୧୫ଜଣ।
ଓଏଲ୍ ବ୍ୟୁରୋ: ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। କରୋନା ଭୂତାଣୁକୁ ନେଇ ବଢ଼ିଲା ଦେଶବାସୀଙ୍କ ଚିନ୍ତା। ଗତ ୨୪ ଘଣ୍ଟାରେ ୭ ହଜାର ୮୩୦ ନୂଆ ମାମଲା ଚିହ୍ନଟ। ଦୈନିକ ପଜିଟିଭ ରେଟ୍ ରହିଛି ୩.୬%। ଆକ୍ଟିଭ କେସ୍ ସଂଖ୍ୟା ୪୦ ହଜାର ୨୧୫ଜଣ। କିଛି ମାସର ବ୍ୟବଧାନ ପରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଇଛି। ପୂର୍ବରୁ କରୋନା ସ୍ଥିତିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଥିଲେ ଯେ, କରୋନା ସଂକ୍ରମଣ ସ୍ଥିର ରହିଛି। ଆକ୍ଟିଭ କେସ୍ କିଛି ପରିମାଣରେ ବଢ଼ିଛି। କରୋନା ସଂକ୍ରମଣ ଲକ୍ଷଣ ଥିଲେ ତୁରନ୍ତ ଚିକିତ୍ସା କରାଇ ନିଅନ୍ତୁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଥିଲେ।
ପୂର୍ବରୁ ମହାମାରୀକୁ ନଜରରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ବୈଠକ କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିଥିଲେ ଯେ, କରୋନାରୁ ବର୍ତ୍ତିବା ପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ ଓ ଅନାବଶ୍ୟକ ଭୟରୁ ମଧ୍ୟ ଦୂରେଇ ରହିବାକୁ ପଡିବ। ଏହାସହ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଉପଦେଶ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ନିଜ ନିଜ ରାଜ୍ୟରେ କୋଭିଡର ସ୍ଥିତିକୁ ଦେଖି ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମୀ ଉପରେ ସମୀକ୍ଷା ବୈଠକ କରନ୍ତୁ। ଏହାସହ ଏପ୍ରିଲ ୧୦ ଓ ୧୧ ତାରିଖରେ ସାରା ଦେଶରେ କୋଭିଡକୁ ନେଇ ମକ୍ ଡ୍ରିଲ କରାଥିଲା।