ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ, ଏକାମ୍ର କ୍ଷେତ୍ରକୁ ପୂରିଛି ୭୫ ବର୍ଷ
ଏକାମ୍ର କ୍ଷେତ୍ରର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ୍ ଜୁବଲି ପାଳନ କରାଯାଉଛି।
ଓଏଲ୍ ବ୍ୟୁରୋ: ଆଜି ରାଜଧାନୀ ଭୁବନେଶ୍ୱରକୁ ପୁରିଲା ୭୫ ବର୍ଷ। ରାଜ୍ୟର ରାଜଧାନୀ ଭୁବନେଶ୍ବରର ଜନ୍ମଦିନ ବା ପ୍ରତିଷ୍ଠା ଦିବସ। ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଇଁ ଉତ୍ସବ ମୁଖର ପୂରା ସହର। ଆଜିଠୁ ତିନି ଦିନ ଧରି ଚାଲିବ ବିଭିନ୍ନ କାର୍ଯ୍ୟକ୍ରମ। ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲରେ ଏହି ଉତ୍ସବ ଆୟୋଜନ କରାଯାଉଛି।
ଏକାମ୍ର କ୍ଷେତ୍ରର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ୍ ଜୁବଲି ପାଳନ କରାଯାଉଛି। ଏହି ଅବସରରେ ଓଡ଼ିଶା ବିଧାନସୌଧ ସମ୍ମୁଖ ତଥା ରାଜଧାନୀ ଶିଳାନ୍ୟାସ ଫଳକ ସାମ୍ନା, ଉତ୍କଳ ମଣ୍ଡପରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିରେ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ମେୟର, ନେତା, ପ୍ରଶାସନିକ ଅଧିକାରୀ ଓ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଜି ପ୍ରଥମ ଦିନର ଆରମ୍ଭ ପରେଡରୁ କରାଯାଇଥିଲା। ଏଥିରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ବାଚସ୍ପତି ବିକ୍ରମ କେଶରୀ ଆରୁଖ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ।
୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଦିନ ଓଡ଼ିଶାର ରାଜଧାନୀ ଭାବେ ନୂଆ ପରିଚୟ ପାଇଥିଲା ଭୁବନେଶ୍ବର। ସେତେବେଳେ ୩ଟି ରାଜସ୍ବ ଗାଁ ଓ ୧୫ ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ବିଜ୍ଞାପିତ ଅଞ୍ଚଳକୁ ମିଳିଥିଲା ରାଜ୍ୟର ରାଜଧାନୀ ମାନ୍ୟତା। ଏହି ନଗର ପାଖାପାଖି ତିନିହଜାର ବର୍ଷ ପୁରୁଣା। ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି। ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ। ତେବେ ପ୍ରାୟ ୭୫ ବର୍ଷ ପରେ ଏକ ବିଶାଳ ସହରରେ ପରିଣତ ହୋଇଛି ଭୁବନେଶ୍ବର। ସ୍ମାର୍ଟ ସିଟି ସହ ପୂର୍ବ ଭାରତର ଶିକ୍ଷା ବ୍ୟବସ୍ଥାର ଏକ ଉତ୍ତମ କେନ୍ଦ୍ର ପାଲଟିଛି ରାଜଧାନୀ ଭୁବନେଶ୍ବର। ତେବେ ସାରା ଦେଶରେ ଏକାମ୍ର କ୍ଷେତ୍ର ନିଜର ଏକ ସ୍ବତନ ପରିଚୟ ସୃଷ୍ଟି କରିପାରିଛି।