ଅସହ୍ୟ ଖରାରେ ରାସ୍ତାରେ ବସିଲେ ଚାଷୀ, ମିଳୁନାହିଁ ଧାନ ବିକ୍ରି ଟଙ୍କା
ବିଷ ବୋତଲ ଧରି ଧାମରା ଜାମୁ ଝାଡ଼ି ରାସ୍ତାର ଚାନ୍ଦିମାଳ ଛକରେ ରାସ୍ତାରୋକ କରିଛନ୍ତି ଚାଷୀ।
ଓଏଲ୍ ବ୍ୟୁରୋ: ଅସହ୍ୟ ଖରାରେ ସିଜୁଛି ସାରା ରାଜ୍ୟ। ସରକାର ଲୋକମାନଙ୍କୁ ଖରାରୁ ମୁକ୍ତି ପାଇବା ପାଇଁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ହେଲେ ଡହଡହ ଖରାରେ ନିଜର ହକ ପାଇଁ ରାସ୍ତାରେ ବସିଛନ୍ତି ଚାଷୀ। ୩ ମାସ ଧରି ନିଜ ପରିଶ୍ରମର ମୂଲ୍ୟ ଅପେକ୍ଷାରେ ରହି ନିରାଶ ହେବା ପରେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ଭଦ୍ରକ ବାସୁଦେବପୁର ଅଞ୍ଚଳର ଚାଷୀ। ବିଷ ବୋତଲ ଧରି ଧାମରା ଜାମୁ ଝାଡ଼ି ରାସ୍ତାର ଚାନ୍ଦିମାଳ ଛକରେ ରାସ୍ତାରୋକ କରିଛନ୍ତି ଚାଷୀ।
ଖବର ଅନୁସାରେ, ବାସୁଦେବପୁର ଅଞ୍ଚଳର ଚାଷୀମାନେ ଗଦି ସେବା ସମବାୟ ସମିତିରେ ଧାନ ଦେଇଥିଲେ। ଧାନ ଦେବାର କିଛି ଦିନ ଭିତରେ ଟଙ୍କା ମିଳିଯିବ ବୋଲି ସୋସାଇଟିର ସଂପାଦକ କହିଥିଲେ। ହେଲେ ସମିତିରେ ଧାନ ଦେବାର ୩ ମାସ ପରେ ମଧ୍ୟ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିନାହିଁ। ସମବାୟ ସମିତିକୁ ଦୌଡ଼ି ଦୌଡ଼ି ଚାଷୀ ନୟାନ୍ତ ହେଲେ ମଧ୍ୟ ସଂପାଦକ ଧରା ଛୁଆଁ ଦେଉ ନାହାନ୍ତି। ଟଙ୍କା ନ ମିଳିବାରୁ ଚାଷୀମାନେ ଜିଲ୍ଲାପାଳ ଏବଂ ସିଏସଓଙ୍କ ନିକଟରେ ଫେରାଦ ହେବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ଚରମ ନିଷ୍ପତ୍ତି ନେବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି। ଶେଷରେ ଚାଷୀମାନେ କିଛି ଉପାୟ ନ ପାଇ ବିଷ ବୋତଲ ଧାରି ଆଜି ରାସ୍ତାରୋକ କରିଛନ୍ତି।