Odisha Link
Bridging the Missing Links in Odisha

‘ସ୍କୁଲ ଓ ଅଙ୍ଗନବାଡ଼ି ୧୬ ଯାଏଁ ବନ୍ଦ ଅଛି, ଖରା ବଢ଼ିଲେ ବଦଳିପାରେ ନିଷ୍ପତି’

ଶ୍ରମିକଙ୍କ ପାଇଁ ଦିନ ୧୧ରୁ ୩ଟା କାମ ବନ୍ଦ ରହିଥିବାବେଳେ ଏହାର ତଦାରଖ କରିବେ ଡିଏଲଓ।

ଓଏଲ୍‌ ବ୍ୟୁରୋ: ସକାଳୁ ପ୍ରବଳ ତାତି ଅନୁଭୁତ ହୋଇଥିଲା। ଏମିତି ଗୁଳୁଗୁଳି ହେଉଛି, ଘରୁ ବାହାରିବାକୁ ଭୟ ଲାଗୁଛି। ଅସମ୍ଭାଳ ଗରମରେ ସିଝୁଛି ରାଜଧାନୀ ସମେତ ସାରା ଓଡ଼ିଶା। ତେବେ ଏହି ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ୫ଦିନ ପାଇଁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ କରାଯାଇଛି। ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ଏହାର ସମୀକ୍ଷା କରିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ।

ମନ୍ତ୍ରୀ ପ୍ରମିଳା ମଲ୍ଲିକ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସ୍କୁଲ ଓ ଅଙ୍ଗନବାଡ଼ି ୧୬ ଯାଏଁ ବନ୍ଦ ଅଛି, ଖରା ବଢ଼ିଲେ ପୁଣି ନିଷ୍ପତ୍ତି ନିଆଯିବ। କଲେଜ ପରୀକ୍ଷା ଚାଲିଛି, ପରୀକ୍ଷା ସରିଲେ ଖରା ଦେଖି ନିଷ୍ପତ୍ତି ରଖାଯିବ। ଶ୍ରମିକଙ୍କ ପାଇଁ ଦିନ ୧୧ରୁ ୩ଟା କାମ ବନ୍ଦ ରହିଥିବାବେଳେ ଏହାର ତଦାରଖ କରିବେ ଡିଏଲଓ। ବସ୍‌ରେ ଅଧିକ ଗହଳି ନ କରିବାକୁ ପରିବହନ ବିଭାଗକୁ କୁହାଯାଇଛି। ବସ୍‌ରେ ବରଫ, ଓଆରଏସ୍, ପାଣି ମହଜୁଦ ରଖିବାକୁ କୁହାଯାଇଛି। ଜଳଛତ୍ର ଖୋଲିବାକୁ ଓ ନଳକୂଅ ମରାମତି ପାଇଁ କୁହାଯାଇଛି। ହସ୍ପିଟାଲରେ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ୍‌ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ।

ଅନ୍ୟପକ୍ଷେ, ଆଜି ବି ସାରା ରାଜ୍ୟରେ କଲବଲ କରୁଛି ତାତି। ରାଜ୍ୟରେ ଶୁଷ୍କ ଉଷ୍ମ ବାୟୁ ପ୍ରବାହ ବଢିବା ଯୋଗୁ ତାପାମାତ୍ରାରେ ମଧ୍ୟ ବୃଦ୍ଧି ପାଉଛି। ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବଢିବାରେ ଲାଗିଛି। ଆଜି ଦିନ ସାଢ଼େ ୧୧ଟାରେ ଭୁବନେଶ୍ବର ତାପମାତ୍ରା ୩୮.୬। ସର୍ବାଧିକ ତାପମାତ୍ରା ୩୯.୨ ଝାରସୁଗୁଡ଼ାରେ ରେକର୍ଡ କରାଯାଇଛି। ବାଲେଶ୍ବର ଓ ଚାନ୍ଦବାଲିରେ ୩୯ ଡିଗ୍ରୀ ତାପମାତ୍ରା ରହିଛି।

ଭୀଷଣ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଏସଓପି ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ। ଜିଲ୍ଲାସ୍ତରରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ଆହୁରି ଖରା ବଢିବାକୁ ଥିବାରୁ ଲୋକଙ୍କୁ ଏ ନେଇ ଅଧିକରୁ ଅଧିକ ସଚେତନ କରିବାକୁ କୁହାଯାଇଛି। ତାପମାତ୍ରାକୁ ନଜରରେ ରଖି ରାଜ୍ୟର ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଯେଉଁ ଗାଁ ବା ୱାର୍ଡରେ ଜଳ ସଙ୍କଟ ରହିଛି ସେଗୁଡ଼ିକୁ ଚିହ୍ନଟ କରାଯିବ। ଆବଶ୍ୟକୀୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ଖରାପ ନଳକୂପର ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେନାଲରେ ପାଣି ଛାଡିବା, ପାନୀୟ ଜଳସେବା କେନ୍ଦ୍ର ଖୋଲାଯିବ। ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାରେ ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରାଯିବ।

ଓଆରଏସ୍ ରଖିବା, ପଡ଼ିଆରେ ଖେଳକୁଦ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ପିଲାଙ୍କୁ ସଚେତନ କରାଯିବ। ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ୍ ଏବଂ ଓଆରଏସ୍ ରଖାଯିବ। ସମସ୍ତ ଯାତ୍ରୀବାହୀ ବସରେ ପାଣି, ଓଆରଏସ୍ ରଖିବା ପାଇଁ କୁହାଯାଇଛି। ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ କାମ କରିବେନି। ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଏସଆରସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।

Leave A Reply

Your email address will not be published.