ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ଆରମ୍ଭ
ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ।
ଓଏଲ୍ ବ୍ୟୁରୋ: ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ। ହିନ୍ଦୁ ପରମ୍ପରାରେ ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ରୂପରେ ପାଳନ କରାଯାଏ। ଏହି ଦିନ ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ଆଜି ବର୍ଷର ପ୍ରଥମଦିନ ହୋଇଥିବାରୁ ଆଜିର ଦିନକୁ ନବବର୍ଷ ବୋଲି ଧରାଯାଏ। ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର ବିଶେଷତ୍ୱ ହେଲା, ଏହିଦିନ ସୂର୍ଯ୍ୟ ଖଗୋଳ ପଥରେ ଯେଉଁ କଳ୍ପିତ ବିନ୍ଦୁରେ ପହଞ୍ଚନ୍ତି ତାହା ପୃଥିବୀର ଠିକ୍ ମଧ୍ୟଭାଗରେ ଥିବା ବିଷୁବ ରେଖା ଉପରେ ଅବସ୍ଥିତ।
ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ। ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ। ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ। ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି।
ଆଜି ପଣା ସଂକ୍ରାନ୍ତି ଅବସରରେ ପ୍ରତିଟି ଓଡ଼ିଆଙ୍କ ଘରେ ବିଭିନ୍ନ ପଣା ପ୍ରସ୍ତୁତ କରାଯାଇଥାଏ। ବୃନ୍ଦାବତୀ ମୂଳରେ ପଣା ପୂଜା କରାଯାଏ। ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ। ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ। ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ। ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ।
ଆଜି ଆଉ ଏକ ପବିତ୍ର ଦିନ, ମହାବୀର ହନୁମାନଙ୍କ ଜୟନ୍ତୀ। ପଣାସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ପାଳନ କରାଯାଏ। ଏହି ପର୍ବ ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଦିନରେ ପାଳନ କରାଯାଏ। ବୀର ବଜରଙ୍ଗଙ୍କ ଜନ୍ମତ୍ସୋବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ସେହିଭଳି ପ୍ରଭୁ ହନୁମାନଙ୍କ ଦର୍ଶନ ପାଇଁ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।