ରାଜନେତାଙ୍କୁ ଏକାଠି କଲା ଛେନାପୋଡ଼
ଭୁବନେଶ୍ବର: ନୟାଗଡ଼ ଦରବ, ଓଡ଼ିଶାର ଗରବ ଏହି ପଂକ୍ତିକୁ ନେଇ ଏବେ ସବୁଠି ଚର୍ଚ୍ଚା। କାରଣ ଏପ୍ରିଲ ୧୧ ତାରିଖରେ ନୟାଗଡ଼ ବିକାଶ ମଞ୍ଚ ଓ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ମିଳିତ ଆନୁକୁଲ୍ୟରେ ଛେନାପୋଡ଼ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ସମାରୋହର ମଞ୍ଚରେ ବିଜେଡି, ବିଜେପି ଓ କଂଗ୍ରେସ ନେତାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ରାଜନେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିଥିଲା ଛେନାପୋଡ଼।
ଦିବସବ୍ୟାପୀ ଏହି ଉତ୍ସବରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ପ୍ରସିଦ୍ଧ କଣ୍ଠାଶିଳ୍ପୀ ତାନସେନ୍ ସିଂ ଓ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ସାବରମତି ଅତିଥି ଭାବେ ଯୋଗ ଦେଇଥିଲେ।
ସଭା ଚାଲୁ ରହିଥିବା ସମୟରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ମଞ୍ଚ ଉପରକୁ ଚଢ଼ିଥିଲେ । ସେ ଛେନାପୋଡ଼ର ଗାରିମା ବିଷୟରେ କହିବା ସହିତ ସମସ୍ତଙ୍କୁ ଛେନାପୋଡ଼ ଖାଇବା ପାଇଁ କହିଥିଲେ। ଏଥିସହିତ ତାଙ୍କର ଚିରାଚରିତ ମାଡ଼ିଚାଲ ଡାଇଲଗ୍ କହିଥିଲେ। ଯାହା ଉପସ୍ଥିତ ଜନତାଙ୍କୁ ଖୁସିରେ ବିଭୋର କରିଥିଲା।
ସୁରେଶ ରାଉତରାୟଙ୍କ ପରେ ସଭାର ଦ୍ବିତୀୟାର୍ଦ୍ଧରେ ନୟାଗଡ଼ରୁ ଏକ ବୃହତ ଛେନାପୋଡ଼ ଧରି ହଠାତ ପହଞ୍ଚିଥିଲେ ବିଜେପି ନେତ୍ରୀ ଇରାନୀ ରାୟ। ସେ ସେଠାରେ ଜନସାଧାରଣଙ୍କ ମଧ୍ୟରେ ବସିଥିଲେ। ଏହାପରେ ସେ ମଞ୍ଚରେ କଳାକାରଙ୍କୁ ପୁରସ୍କୃତ ମଧ୍ୟ କରିଥିଲେ। ତେବେ ଗୋଟିଏ ମଞ୍ଚରେ ତିନି ପ୍ରମୁଖ ଦଳର ନେତା ଏକାଠି ହେବା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।