ଆଜି ବିଶ୍ବ ଐତିହ୍ୟ ଦିବସ: ପଠାଣି ସାମନ୍ତ ସ୍ମାରକୀ ନିର୍ମାଣ ଦାବି ଜୋର ଧରିଲା

ଭୁବନେଶ୍ବର: ଆଜି ବିଶ୍ବ ଐତିହ୍ୟ ଦିବସ ବା ଅନ୍ତର୍ଜାତୀୟ ସ୍ମାରକୀ ଓ ସ୍ଥଳୀ ଦିବସ। ଏହି ଅବସରରେ ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ବିଶ୍ବର ବିସ୍ମୟ ବ୍ୟକ୍ତିତ୍ବ ପଠାଣି ସାମନ୍ତଙ୍କ ଜନ୍ମପୀଠକୁ ଏକ ଜାତୀୟ ସ୍ମାରକୀରେ ପରିଣତ କରାଯାଉ ବୋଲି ଦାବି କରିଛନ୍ତି ନୟାଗଡ଼ ବିକାଶ ମଞ୍ଚର ସଦସ୍ୟ।
ଗତ ଫେବ୍ରୁଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲା ସୁଆଣ୍ଡୋ ଗସ୍ତ କରି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିଥିଲେ। ବର୍ତ୍ତମାନ ରାଜ୍ୟ ସରକାର ମହାପୁରୁଷଙ୍କ ଜନ୍ମପୀଠର ଉନ୍ନତିକରଣ କାର୍ଯ୍ୟ କରୁଥିବା ବେଳେ ବିଶ୍ବର ବିସ୍ମୟ ବ୍ୟକ୍ତିତ୍ବ ପଠାଣି ସାମନ୍ତ ଖଣ୍ଡପଡ଼ାସ୍ଥିତ ଜନ୍ମପୀଠ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ବା ରାଜ୍ୟ ସରକାରଙ୍କ କୌଣସି ନଜର ମଧ୍ୟ ନାହିଁ। ଅନ୍ୟ ସ୍ଥାନଗୁଡ଼ିକରେ ସ୍ମାରକୀ ନିର୍ମାଣ କରାଯାଉଥିବା ବେଳେ ବିଶ୍ବ ଦରବାରରେ ପରିଚିତ ପଠାଣି ସାମନ୍ତ ଖଣ୍ଡପଡ଼ାସ୍ଥିତ ଜନ୍ମପୀଠ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ବେଳେ ଏହାକୁ ଏକ ଜାତୀୟ ଐତିହ୍ୟ ସ୍ମାରକୀରେ ପରିଣତ କରାଯାଉ ବୋଲି ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ସେହିପରି କବି ଯଦୁମଣି ମହାପାତ୍ର (ଇଟାମାଟି) ଓ ଦାସିଆ ଅଜା(ଉଦୟପୁର)ଙ୍କ ଜନ୍ମପୀଠର ଉନ୍ନତିକରଣ ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ନୟାଗଡ଼ ବିକାଶ ମଞ୍ଚର ଆବହାକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି, “ନୟାଗଡ଼ର ଜିଲ୍ଳାର କିଛି ଆଗ୍ରହୀ ଯୁବକଙ୍କୁ ନେଇ ୨୦୧୩ ମସିହାରେ ପ୍ରତିଷ୍ଠା କରାଯାଇଥିଲା ନୟାଗଡ଼ ବିକାଶ ମଞ୍ଚ। ନୟାଗଡ଼ ଜିଲ୍ଳାର ସାମାଜିକ, ସାଂସ୍କୃତିକ ଓ ସାମୂହିକ ବିିକାଶ ପାଇଁ ନୟାଗଡ଼ ବିକାଶ ମଞ୍ଚର ସଦସ୍ୟମାନେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି। ବିଶ୍ବ ବିଦିତ ପଠାଣି ସାମନ୍ତଙ୍କ ଖଣ୍ଡପଡ଼ାସ୍ଥିତ ଜନ୍ମପୀଠ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ବେଳେ ଏହାକୁ ଏକ ଜାତୀୟ ଐତିହ୍ୟ ସ୍ମାରକୀରେ ପରିଣତ କରାଯାଉ ବୋଲି ଦାବି କରାଯାଇଛି। ଏହି କ୍ରମରେ ଆଜି ଆମେ ରାଜ୍ୟପାଳଙ୍କୁ ଭେଟି ଜିଲ୍ଲାର ବିକାଶ ପାଇଁ ୧୦ ଦଫା ଦାବି ପତ୍ର ପ୍ରଦାନ କରିଛୁ।”
ସୂଚନାଥାଉକି, ବିଶ୍ବ ଐତିହ୍ୟ ଦିବସ ସମଗ୍ର ମାନବ ଜାତିର ମିଳିତ ଇତିହାସ ଓ ଐତିହ୍ୟକୁ ସୁରକ୍ଷା ଦେବାର ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ବ ଐତିହ୍ୟର ବିବିଧତାକୁ ନେଇ ଖୁସି ମନାଇବା ଲାଗି ଏହି ଦିନଟି ଉଦ୍ଦିଷ୍ଟ। ଆନ୍ତର୍ଜାତିକ ସ୍ମାରକୀ ଓ ସ୍ଥଳୀ ପରିଷଦ ପକ୍ଷରୁ ୧୯୮୨ ମସିହାରୁ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା ଏବଂ ୧୯୮୩ରେ ଜାତିସଂଘର ସାଧାରଣ ପରିଷଦ ଦ୍ବାରା ଏହାକୁ ସ୍ବୀକୃତି ମିଳିଥିଲା।