ଶତ ପ୍ରତିଶତ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି: ଅଜିତ ପାଓ୍ବାର
![](https://www.odishalink.com/wp-content/uploads/2019/11/Ajit-power.jpg)
ଓଏଲ୍ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଚାଲିଛି ମହାନାଟକ। ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ମହାରାଷ୍ଟ୍ରରେ ରାଜନୈତିକ ତାତି ବଢ଼ିବାରେ ଲାଗିଛି। ଏନସିିପି ନେତା ଅଜିତ ପାଓ୍ବାର ଭାଜପାରେ ମିଶିବା ନେଇ ମହାରାଷ୍ଟ୍ରରୁ ଜାତୀୟ ରାଜନୀତି ପର୍ଯ୍ୟନ୍ତ ଜୋରଦାର ଚର୍ଚ୍ଚା ହେଉଛି। ଏହାରି ଭିତରେ ଶନିବାର ଦିନ ନିଜର ରାଜନୈତିକ ଇଚ୍ଛା ବିଷୟରେ କହିଛନ୍ତି ଅଜିତ ପାଓ୍ବାର। ସେ କହିଛନ୍ତି, ମୁଁ ଶତ ପ୍ରତିଶତ ମୁଖ୍ୟମନ୍ତ୍ରୀ ହେବାକୁ ଚାହେଁ। ଏଥିପାଇଁ ୨୦୨୪ ଯାଏଁ ଅପେକ୍ଷା କାହିଁକି କରିବି। ଯାହାକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି। ଏପରିକି ଏନସିପିରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ଲାଗି ରହିଛି।
ଅଜିତ ପାୱାର ଆହୁରି କହିଛନ୍ତି, ଆମେ ପ୍ରଥମେ ଧର୍ମନିରପେକ୍ଷତା ଓ ପ୍ରଗତିଶୀଳକୁ ମୁଖ୍ୟ ପ୍ରସଙ୍ଗ କରିଥିଲୁ। କିନ୍ତୁ ୨୦୧୯ରେ କଂଗ୍ରେସ ଓ ଏନସିପି ଗାଦି ପାଇଁ ଶିବସେବା ସହ ଗଠବନ୍ଧନ କରିଦେଲେ। ଫଳରେ ଧର୍ମନିରପେକ୍ଷତା ଲାଇନ୍ରୁ ଆମେ ହଟିଗଲୁ। କାରଣ ଶିବସେନା ଏକ ହିନ୍ଦୁତ୍ୱ ଦଳ।
ଏପରିକି ଯେଉଁ ଚର୍ଚ୍ଚା ଲାଗି ରହିଛି ଯେ, ଅଜିତ ପାଓ୍ବାର ନିଜ ସମର୍ଥିତ ବିଧାୟକଙ୍କ ସହ ଭାଜପାରେ ସାମିଲ ହେବେ। ଏହି ପ୍ରସଙ୍ଗରେ ସେ ନିଜେ ପୂର୍ଣ୍ଣଚ୍ଛେଦ ପକାଇ କହିଛନ୍ତି, ଭାଜପାରେ ସାମିଲ ହେବାକୁ ନେଇ ଯେଉଁ ଚର୍ଚ୍ଚା ଲାଗି ରହିଛି ତାର କିଛି ସତ୍ୟତା ନାହିଁ। ଆଜି ମଧ୍ୟ ଏନସିିପିରେ କୌଣସି ଫାଟ ନାହିଁ। ଏହାପରେ ଗଣମାଧ୍ୟମ ପ୍ରତିନଧି ଅଜିତ ପାଓ୍ବାରଙ୍କୁ ପ୍ରଶ୍ନ କରିଥିଲେ ଯେ, ୨୦୨୪ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଆପଣ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି କି ? ଏହାର ଉତ୍ତରରେ ସେ କହିଥିଲେ ଯେ, ୨୦୨୪ କ’ଣ ପାଇଁ ? ମୁଁ ବର୍ତ୍ତମାନ ଶତ ପ୍ରତିଶତ ମୁଖ୍ୟଢ଼ନ୍ତ୍ରୀ ହେବାକୁ ଇଚ୍ଛା କରିଛି।