ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଖୋଲିଲା ଛତିଶଗଡ଼ କଲ୍ମାର ୧୭ ଗେଟ୍
ଫଳରେ ପ୍ରାୟ ୧ ମାସ ହେବ ଶୁଖିଲା ପଡ଼ିଥିବା ଓଡ଼ିଶାରେ ମହାନଦୀର ପ୍ରବେଶ ସ୍ଥଳ କୁହାଯାଉଥିବା ଶୁଖାସୋଡାରେ ପାଣି ଦେଖିବାକୁ ମିଳିଛି।
ଓଏଲ୍ ବ୍ୟୁରୋ: ମହାନଦୀ ଜଳକୁ ନେଇ ଲାଗି ରହିଛି ବିବାଦ। ତେବେ ଏଇ ଜଳ ବିବାଦ ନେଇ ଟ୍ରିବ୍ୟୁନାଲଙ୍କ ଗସ୍ତ ପୂର୍ବରୁ ଖୋଲିଲା କଲ୍ମାର ୧୭ ଗେଟ୍। ଆସନ୍ତା ୨୯ ତାରିଖରେ ଛତିଶଗଡ଼ ଗସ୍ତ କରିବେ ଟ୍ରିବ୍ୟୁନାଲ। କଲମାରେ ସର୍ବାଧିକ ଜଳ ଧାରଣ କ୍ଷମତା ୧୯୭ ମିଟର ଛୁଇଁ ଯାଇଥିବାରୁ ନିଜ ଛବିକୁ ସ୍ୱଚ୍ଛ ରଖିବା ପାଇଁ ଛତିଶଗଡ଼ ସରକାର ୧୭ଟି ଗେଟ୍ ଖୋଲି ଦେଇଥିବା ସୂଚନା ମିଳିଛି। ଫଳରେ ପ୍ରାୟ ୧ ମାସ ହେବ ଶୁଖିଲା ପଡ଼ିଥିବା ଓଡ଼ିଶାରେ ମହାନଦୀର ପ୍ରବେଶ ସ୍ଥଳ କୁହାଯାଉଥିବା ଶୁଖାସୋଡାରେ ପାଣି ଦେଖିବାକୁ ମିଳିଛି।
ମହାନଦୀ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ ଗସ୍ତ ଶେଷ ହୋଇଛି। ଏହି ସମୟରେ କଲମା ସମେତ ଛତିଶଗଡ଼ର ପ୍ରାୟ ସମସ୍ତ ବ୍ୟାରେଜ୍ ଏହାର ନିର୍ଦ୍ଧାରିତ କ୍ଷମତା ପାଖାପାଖି ଜଳ ସଂରକ୍ଷଣ କରିଥିବା ଚିତ୍ର ସାମ୍ନାକୁ ଆସିଥିଲା। ଛତିଶଗଡ଼ରେ ମହାନଦୀ ପାଣି ଲହଡି ଭାଙ୍ଗୁଥିବା ବେଳେ ଓଡ଼ିଶାରେ ଶୁଖିଲା ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଥିଲା। ଯାହାକୁ ଛତିଶଗଡ଼ ସରକାର ଖଣ୍ଡନ କରିବା ସହ ଓଡ଼ିଶା ମିଥ୍ୟା ଅଭିଯୋଗ ଆଣୁଥିବା ଟ୍ରିବ୍ୟୁନାଲ ସମ୍ମୁଖରେ ତଥ୍ୟ ରଖିଥିଲା।