‘୨୦୨୪ରେ ପୁଣି ମୋଦି ସରକାର, ଆଉ ଓଡ଼ିଶାରେ ଡବଲ ଇଞ୍ଜନ ସରକାର’
ଗୋଟିଏ ପଟେ ନୂଆ ଭାରତ ନିର୍ମାଣ ଚାଲିଛି, ହେଲେ ଓଡ଼ିଶାରେ ଗୁଣ୍ଡାରାଜ ଚାଲିଛି
ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ଝାରସୁଗୁଡା ଉପ-ନିର୍ବାଚନ। ପ୍ରଚାରରେ କମ୍ପୁଛି ନିର୍ବାଚନ ମଣ୍ଡଳୀ। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନିର୍ବାଚନ ପାଇଁ ଦମଦାର ପ୍ରଚାର କରୁଥିବାବେଳେ ବିଜେପି ଓ କଂଗ୍ରେସ ମଧ୍ୟ ସେଥିରୁ ବାଦ ପଡ଼ିନାହାନ୍ତି। ଝାରସୁଗୁଡ଼ା ଲଇକେରାରେ ବିଜେପିର ମାରାଥନ ନିର୍ବାଚନ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଗୋଟିଏ ପଟେ ଦେଶ ମୋଦିଙ୍କ ନେତୃତ୍ୱରେ ଆଗକୁ ବଢ଼ୁଛି, ହେଲେ ଏଠି ୨୩ ବର୍ଷ ହେଲା ଗୋଟିଏ ସରକାର କ’ଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ ପଣ୍ଡା। ମୋଦି ସରକାରଙ୍କ ଯୋଜନାକୁ ଲାଗୁ ନ କରି ରାଜ୍ୟରେ ଲୁଟ୍ କରାଯାଉଛି।
ସେ ଆହୁରି ମଧ୍ୟ କହିଛନ୍ତି, ତଥ୍ୟ ଅନୁସାରେ ଦେଶରେ ସବୁଠୁ ଅଧିକ ହିଂସା ଓଡ଼ିଶାରେ ବଢ଼ିଛି। ଯୋଗୀଙ୍କ ନେତୃତ୍ୱରେ ୟୁପିରେ ମାଫିଆ ସଫା ହୋଇଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାରେ ମାଫିଆ ରାଜ ବଢ଼ି ଚାଲିଛି। ଏଠାକାର ନେତା ମନ୍ତ୍ରୀ ଦୁର୍ନୀତି, ଦୁଷ୍କର୍ମ, ଭ୍ରଷ୍ଟାଚାର, ହତ୍ୟାରେ ଲିପ୍ତ। ୨୦୨୪ରେ ପୁଣି ମୋଦି ସରକାର, ଆଉ ଓଡ଼ିଶାରେ ଡବଲ ଇଞ୍ଜନ ସରକାର। ୨୩ ବର୍ଷ ତଳେ ମୁଖ୍ୟମନ୍ତ୍ରୀ କହିଥିଲେ ୩୩% ଜଳସେଚନ କରିବେ। କେତେ ପ୍ରତିଶତ ଜମି ପାଇଁ ଜଳସେଚନ ହୋଇଛି ଜବାବ ଦିଅନ୍ତୁ ରାଜ୍ୟ ସରକାର। ଗୋଟିଏ ପଟେ ନୂଆ ଭାରତ ନିର୍ମାଣ ଚାଲିଛି, ହେଲେ ଓଡ଼ିଶାରେ ଗୁଣ୍ଡାରାଜ ଚାଲିଛି ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି।