କାଲି ଓଡ଼ିଶା ଆସିବେ ମହାମହିମ, ‘ନିଶାମୁକ୍ତ ଓଡ଼ିଶା’ କ୍ୟାମ୍ପେନର କରିବେ ଶୁଭାରମ୍ଭ
ରାଷ୍ଟ୍ରପତି ନିଜ ଗାଁକୁ ଆସିବାକୁ ଥିବାରୁ ସଜେଇ ହୋଇଛି ତାଙ୍କ ଗାଁ ପାହାଡ଼ପୁର।
ଓଏଲ୍ ବ୍ୟୁରୋ: ଓଡ଼ିଶା ଆସୁଛନ୍ତି ମହାମହିମ। ରାଷ୍ଟ୍ରପତି ହେବା ପରେ ପ୍ରଥମଥର ରାଇରଙ୍ଗପୁର ଆସୁଛନ୍ତି ରାଷ୍ଟ୍ରପତି। ମହାମହିମଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ତାଙ୍କ ନିଜ ଗାଁ ମାଟି। ମାଟି ରାସ୍ତାକୁ ପିଚୁ କରାଯାଇଛି, ବଦଳିଯାଇଛି ଗାଁର ରୂପରେଖ। ଗାଁ ଦାଣ୍ଡ କାନ୍ଥକୁ ରଙ୍ଗ କରାଯାଇ ଅଙ୍କା ଯାଇଛି ସୁନ୍ଦର ସୁନ୍ଦର ଚିତା। ରାଷ୍ଟ୍ରପତି ନିଜ ଗାଁକୁ ଆସିବାକୁ ଥିବାରୁ ସଜେଇ ହୋଇଛି ତାଙ୍କ ଗାଁ ପାହାଡ଼ପୁର।
ମହିମାମହିମଙ୍କ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ୪ ତାରିଖ ୧୦ଟା ୧୫ରେ ବାଦାମପାହାଡ ପହଞ୍ଚିବେ ମହାମହିମ। ୧୨ଟା ୫୫ରେ ବ୍ରହ୍ମକୁମାରୀ ସେଣ୍ଟର ଗସ୍ତ କରିବେ। ‘ନିଶାମୁକ୍ତ ଓଡ଼ିଶା’ କ୍ୟାମ୍ପେନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି। ୪ଟା ୨୫ରେ ମହୁଲଡ଼ିହାରେ ପତାକା ଉତ୍ତୋଳନ କରିବେ। ସନ୍ଧ୍ୟା ୫ଟା ୨୦ରେ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ। ଗୁରୁବାର ମହୁଲଡ଼ିହାରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ମହାମହିମ। ଆସନ୍ତା ୫ ତାରିଖରେ ରାଷ୍ଟ୍ରପତିଙ୍କ ଅନ୍ୟାନ୍ୟ ସ୍ଥିରୀକୃତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ।
ଆସନ୍ତା ୫ରେ ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ମେ’ ୬ ତାରିଖରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ରାଷ୍ଟ୍ରପତି ନିଜ ସ୍କୁଲ ଏସଏଲଏସ ସ୍ମାରକୀ ବିଦ୍ୟାଳୟ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ବିଦ୍ୟାଳୟରେ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଏସଏଲଏସ ବିଦ୍ୟାଳୟରେ ମହାମହିମଙ୍କ ଦୁଇ ପୁଅ ଓ ସ୍ୱାମୀଙ୍କ ସ୍ମାରକୀକୁ ନୂଆ ରଙ୍ଗ ରୂପ ଦିଆଯାଉଛି। ସମସ୍ତ ଗ୍ରାମବାସୀ ମହାମହିମଙ୍କ ସ୍ୱାଗତ ପାଇଁ କାମରେ ଲାଗି ପଡ଼ିଛନ୍ତି।