ମହାନଦୀ ଜଳ ବିବାଦରେ ପଡ଼ିବ କି ପୂର୍ଣ୍ଣଚ୍ଛେଦ, ଟ୍ରିବ୍ୟୁନାଲ ଟିମ୍ ଛତିଶଗଡ଼ ଗସ୍ତର ଆଜି ଶେଷ ଦିନ
ଗସ୍ତର ତୃତୀୟ ଦିନରେ ଗତକାଲି ଟିମ୍ ମିରୋନି, ସାରାଡିହ କଲମା ବ୍ୟାରେଜ୍ ସହ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୂରଜଗଡ଼ରେ ଥିବା ମହାନଦୀର କ୍ଷେତ୍ର ପରିଦର୍ଶନ କରିଥିଲେ।
ଓଏଲ୍ ବ୍ୟୁରୋ: ମହାନଦୀ ଜଳକୁ ନେଇ ଲାଗି ରହିଛି ବିବାଦ। ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଆଜି ଶେଷ ଦିନ। ଆଜି ଶେଷ ଦିନରେ କେଲୋ ଡ୍ୟାମ୍ ବୁଲି ଦେଖିଲେ ଟ୍ରିବ୍ୟୁନାଲ ଟିମ୍। ଏହା ପରେ ସଂଧ୍ୟାରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ ଟ୍ରିବ୍ୟୁନାଲ ଟିମ୍। ଗସ୍ତର ତୃତୀୟ ଦିନରେ ଗତକାଲି ଟିମ୍ ମିରୋନି, ସାରାଡିହ କଲମା ବ୍ୟାରେଜ୍ ସହ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୂରଜଗଡ଼ରେ ଥିବା ମହାନଦୀର କ୍ଷେତ୍ର ପରିଦର୍ଶନ କରିଥିଲେ।
ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ ଶେଷ ପରେ ଓଡ଼ିଶାରେ ମହାନଦୀ ଅବବାହିକା ଦୁଇଟି ପର୍ଯ୍ୟାୟରେ ଗସ୍ତ କରିବ ଟିମ୍। ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ୧୦ ତାରିଖରେ ଟ୍ରିବ୍ୟୁନାଲ ଟିମ୍ ଭୁବନେଶ୍ୱରରେ ପହଞ୍ଚିବ। ୧୧ ତାରିଖରେ ଟ୍ରିବ୍ୟୁନାଲ ମହାନଦୀର ତ୍ରିକୋଣଭୂମି, ଏହାର ବ୍ୟାରେଜ ପରିସର ଏବଂ ସାମୁଦ୍ରିକ ସଂଗ୍ରହାଳୟ ପରିଦର୍ଶନ କରିବ। ପ୍ରଥମେ ମୁଣ୍ଡୁଳି ଆନିକଟ ଓ ପୁରୀ ମୁଖ୍ୟ କେନାଲ ପରିଦର୍ଶନରେ ଯିବେ। ଏହା ପରେ ମହାନଦୀରେ ମିଶିଥିବା ସାପୁଆ ନଦୀ ପରିଦର୍ଶନ କରିବେ। ଏହା ସହ ଟିମ୍ ନରାଜ ବ୍ୟାରେଜ୍, ମହାନଦୀ ବ୍ୟାରେଜ୍, ବିରୁପା ବ୍ୟାରେଜ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
ମେ’ ୧୮ ତାରିଖରୁ ଟ୍ରିବ୍ୟୁନାଲ ଟିମର ଦ୍ୱିତୀୟ ପର୍ଯ୍ୟାୟ ଗସ୍ତ ଆରମ୍ଭ ହେବ। ମହାନଦୀ ଜଳକୁ ଛତିଶଗଡ଼ ଛାଡୁନଥିବା ନଥିବା ନେଇ ଓଡ଼ିଶା ବାରମ୍ବାର ଅଭିଯୋଗ କରିଥିବା ବେଳେ ଛତିଶଗଡ଼ ଏହି ଅଭିଯୋଗ ଠିକ୍ ନୁହେଁ କହି ଖଣ୍ଡନ କରିଥିଲା। ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରିଥିବା କଲମା ବ୍ୟାରେଜର ୬୬ଟି ଗେଟ୍ ରହିଛି। ଟ୍ରିବ୍ୟୁନାଲଙ୍କ ଗସ୍ତ ପୂର୍ବରୁ ତଳମୁଣ୍ଡକୁ ଅଳ୍ପ ପାଣି ଛାଡିଥିଲେ ଛତିଶଗଡ଼ ସରକାର।
ମହାନଦୀ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ ଗସ୍ତ ଶେଷ ହୋଇଥିବାବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଗସ୍ତର ଶେଷ ଦିନ। ଏହି ସମୟରେ କଲମା ସମେତ ଛତିଶଗଡ଼ର ପ୍ରାୟ ସମସ୍ତ ବ୍ୟାରେଜ୍ ଏହାର ନିର୍ଦ୍ଧାରିତ କ୍ଷମତା ପାଖାପାଖି ଜଳ ସଂରକ୍ଷଣ କରିଥିବା ଚିତ୍ର ସାମ୍ନାକୁ ଆସିଥିଲା। ଛତିଶଗଡ଼ରେ ମହାନଦୀ ପାଣି ଲହଡି ଭାଙ୍ଗୁଥିବା ବେଳେ ଓଡ଼ିଶାରେ ଶୁଖିଲା ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଥିଲା। ଯାହାକୁ ଛତିଶଗଡ଼ ସରକାର ଖଣ୍ଡନ କରିବା ସହ ଓଡ଼ିଶା ମିଥ୍ୟା ଅଭିଯୋଗ ଆଣୁଥିବା ଟ୍ରିବ୍ୟୁନାଲ ସମ୍ମୁଖରେ ତଥ୍ୟ ରଖିଥିଲା।