Odisha Link
Bridging the Missing Links in Odisha

ବିଜେଡିରେ ମିଶିଲେ ଝାରସୁଗୁଡ଼ା ବିଜେପି ସଭାପତି ମଙ୍ଗଲ ସାହୁ

ନିର୍ବାଚନ ଆଉ ମାତ୍ର ୭ଦିନ ଥିବା ବେଳେ ବିଜେଡିରେ ମିଶିଲେ ଝାରସୁଗୁଡ଼ା ବିଜେପି ସଭାପତି ମଙ୍ଗଲ ସାହୁ।

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ମାଷ୍ଟରଷ୍ଟ୍ରୋକ୍‌ ଖେଳିଛି ଶାସକ ବିଜୁ ଜନତା ଦଳ। ନିର୍ବାଚନ ଆଉ ମାତ୍ର ୭ଦିନ ଥିବା ବେଳେ ବିଜେଡିରେ ମିଶିଲେ ଝାରସୁଗୁଡ଼ା ବିଜେପି ସଭାପତି ମଙ୍ଗଲ ସାହୁ। ଯାହା ଭାରତୀୟ ଜନତା ପାର୍ଟିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ନିର୍ବାଚନକୁ ନଜରରେ ରଖି ଦଳୀୟ ନେତା ଜୋର ନିର୍ବାଚନୀ ପ୍ରଚାରରେ ଲାଗିପଡିଥିବାବେଳେ ଏହି ବଡ଼ ଖବର ସାମ୍ନାକୁ ଆସିଛି। ଝାରସୁଗୁଡା ଉପ-ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ଏହି ବଡ଼ ଝଟକା।

ଅନ୍ୟପଟେ, ଝାରସୁଗୁଡା ଉପ-ନିର୍ବାଚନ ପାଇଁ କମ୍ପୁଛି ନିର୍ବାଚନ ମଣ୍ଡଳୀ। ନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ମେ’୧୦ରେ ପଡ଼ିବ ଭୋଟ। ଝାରସୁଗୁଡ଼ାବାସୀ ବାଛିବେ ତାଙ୍କ ମନପସନ୍ଦର ନେତା। ସାଧାରଣ ନିର୍ବାଚନକୁ ଆଉ ୧ ବର୍ଷରୁ କମ୍‌ ସମୟ ଥିବା ବେଳେ ଝାରସୁଗୁଡ଼ା ଉପନିର୍ବାଚନ ଜିତିବାକୁ ରାଜ୍ୟର ତିନି ଛାମୁଆ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ କରୁଛନ୍ତି ଜୋରଦାର ପ୍ରସ୍ତୁତି। ପ୍ରଚାରରେ କମ୍ପୁଛି ମଇଦାନ, କାହାର ପଲ୍ଲା ଉପ-ନିର୍ବାଚନରେ ଭାରି ରହିବ ଏନେଇ ଚାଲିଛି ଚର୍ଚ୍ଚା।

ଉପ-ନିର୍ବାଚନରେ ୯ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ। ସେ ମଧ୍ୟରୁ ୬ଟି ଦଳୀୟ ପ୍ରାର୍ଥୀ ଥିବାବେଳେ ୩ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ବିଶେଷ ଭାବେ ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରୀମୁଖି ଲଢେ଼ଇ ହେବ। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପକ୍ଷରେ ସହାନୁଭୂତି ଭୋଟ ସହ ମହିଳାଙ୍କ ସମର୍ଥନ ତଥା ବିଜେଡି ଓ ନବୀନଙ୍କ ଲୋକପ୍ରିୟତା ମୁଖ୍ୟତଃ ପ୍ରମୁଖ ଅସ୍ତ୍ର ଭାବେ କାର୍ଯ୍ୟ କରିବ। ଏଥିସହିତ ଝାରସୁଗୁଡ଼ାରେ ନବ ଦାସଙ୍କ ନିଜସ୍ୱ ଭୋଟ ବ୍ୟାଙ୍କ ମଧ୍ୟ ଦୀପାଳିଙ୍କୁ ବେଶ ସହାୟକ ହେବ ବୋଲି ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି।

ବିଜେପି ଯୁବ ନେତା ଟଙ୍କଧରଙ୍କୁ ପ୍ରାର୍ଥୀ କରି ଯୁବ ବର୍ଗଙ୍କ ସମର୍ଥନକୁ ଅପେକ୍ଷା ରଖିଛି। ଏପରିକି ନବ ଦାସଙ୍କ ହତ୍ୟାକୁ ନେଇ ସରକାରଙ୍କୁ କାଠଗଡାରେ ଛିଡା କରାଇଥିବା ବିଜେପି ନବଙ୍କ ହତ୍ୟାକୁ ମୁଖ୍ୟ ଅସ୍ତ୍ର କରିଛି। ଏପରିକି ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ପ୍ରମୁଖ ମୁଦ୍ଦା କରି ନିର୍ବାଚନକୁ ଓଲ୍ହାଇଛି ଦଳ। ସେହିପରି ଏକଦା କଂଗ୍ରେସର ଗଡ଼ ଥିଲା ଝାରସୁଗୁଡ଼ା। ସେହି ଗଡ଼କୁ ଅକ୍ତିଆର କରିବା ପାଇଁ କଂଗ୍ରେସ ମଧ୍ୟ ଅଣ୍ଟା ଭିଡ଼ିଛି। ପୂର୍ବତନ ବିଧାୟକଙ୍କ ପୁଅ ତରୁଣ ପାଣ୍ଡେଙ୍କୁ ଦଳୀୟ ପ୍ରାର୍ଥୀ କରିଛି କଂଗ୍ରେସ। ତେବେ ଆଗାମୀ ଉପ-ନିର୍ବାଚନରେ କେଉଁ ଦଳ ବାଜିମାତ କରିବ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.