ମୁଖ୍ୟମନ୍ତ୍ରୀ ଗାଦିଛାଡ଼ ଆନ୍ଦୋଳନ କରିବ ବିଜେପି: ପୃଥ୍ବୀରାଜ ହରିଚନ୍ଦନ
ଢିଲାପଣରୁ ପୋଲାଭରମ, ମହେନ୍ଦ୍ରତନୟା, ମହାନଦୀ ପ୍ରସଙ୍ଗରେ ଓଡିଶା ପଛୁଆ ରହିଛି ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ।
ଓଏଲ୍ ବ୍ୟୁରୋ: ଲାଗି ରହିଛି କୋଟିଆ ବିବାଦ। ଏହି ବିବାଦର ସମାଧାନ ଏପର୍ଯ୍ୟନ୍ତ ହୋଇନଥିବାବେଳେ ଏହାକୁ ନେଇ ଶାସକ ଦଳକୁ ସମାଲୋଚନା କଲା ରାଜ୍ୟ ବିଜେପି। କୋଟିଆ ବିବାଦର ସମାଧାନ ପାଇଁ ଶାସକ ଦଳକୁ ରାଜ୍ୟ ବିଜେପିର ଚେତାବନୀ। ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ବିଜେପି ସା. ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ। ମାସେ ମହଲତ ଦେଉଛୁ, ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା କରନ୍ତୁ। ନଚେତ୍ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଗାଦିଛାଡ଼ ଆନ୍ଦୋଳନ କରିବ ବିଜେପି।
ପୃଥ୍ବୀରାଜ ହରିଚନ୍ଦନ ଆହୁରି ମଧ୍ୟ ରେଖିଛନ୍ତି, କୋଟିଆ ସୀମା ବିବାଦ ଓଡ଼ିଶା ସରକାରଙ୍କ ତଣ୍ଟିରେ କଣ୍ଟା ହେଲାଣି। କେବଳ କୋଟିଆ ନୁହେଁ, ଗଜପତି ଓ ଗଞ୍ଜାମରେ ମଧ୍ୟ ସମାନ ଅବସ୍ଥା। ସେଠାରେ ମଧ୍ୟ କିଛି ପଞ୍ଚାୟତରେ ଆନ୍ଧ୍ର ପୋଷ୍ଟର ଲାଗୁଛି। ଆନ୍ଧ୍ର ପଟା ବାଣ୍ଟୁଛି, ମାତ୍ର ଆମ ରାଜ୍ୟ ସରକାର ଚୁପ ବସିଛନ୍ତି। ଢିଲାପଣରୁ ପୋଲାଭରମ, ମହେନ୍ଦ୍ରତନୟା, ମହାନଦୀ ପ୍ରସଙ୍ଗରେ ଓଡିଶା ପଛୁଆ ରହିଛି ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ।