ଝାରସୁଗୁଡ଼ାରେ ପ୍ରଚାର ବେଳେ ବିଜେପି-ବିଜେଡି ବଚସା, ଥାନା ଘେରାଉ କଲା ବିଜେପି
ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଝାରସୁଗୁଡା ଟାଉନ ଥାନା ଜିଲ୍ଲା ବିଜେପି ଘେରାଉ କରିଛି।
ଓଏଲ୍ ବ୍ୟୁରୋ: ଝାରସୁଗୁଡା ଉପ-ନିର୍ବାଚନ ପାଇଁ କମ୍ପୁଛି ନିର୍ବାଚନ ମଣ୍ଡଳୀ। ନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ଏହାରି ଭିତରେ ଏକ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି। ଆଜି ପ୍ରଚାର ବେଳେ ବିଜେପି-ବିଜେଡି କର୍ମୀଙ୍କ ଭିତରେ ମୁହାଁମୁହିଁ ଠେଲାପେଲା ଭଳି ସ୍ଥିତି ଦେଖିବାକୁ ମିଳିଥିଲା। ମଙ୍ଗଳ ବଜାର ୨୨ ନମ୍ବର ୱାର୍ଡ ଭିତରକୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପଶିବାକୁ ଦିଆଯାଇ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉଭୟ ବିଜେପି-ବିଜେଡି କର୍ମୀଙ୍କ ଭିତରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା। ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ସେପଟେ ବିଜେଡି କର୍ମୀଙ୍କୁ ବିରୋଧ କରି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଝାରସୁଗୁଡା ଟାଉନ ଥାନା ଜିଲ୍ଲା ବିଜେପି ଘେରାଉ କରିଛି।
ଖବର ଅନୁସାରେ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ମାଷ୍ଟରଷ୍ଟ୍ରୋକ୍ ଖେଳିଛି ଶାସକ ବିଜୁ ଜନତା ଦଳ। ନିର୍ବାଚନ ଆଉ ମାତ୍ର ୭ଦିନ ଥିବା ବେଳେ ବିଜେଡିରେ ମିଶିଲେ ଝାରସୁଗୁଡ଼ା ବିଜେପି ସଭାପତି ମଙ୍ଗଲ ସାହୁ। ଯାହା ଭାରତୀୟ ଜନତା ପାର୍ଟିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ନିର୍ବାଚନକୁ ନଜରରେ ରଖି ଦଳୀୟ ନେତା ଜୋର ନିର୍ବାଚନୀ ପ୍ରଚାରରେ ଲାଗିପଡିଥିବାବେଳେ ଏହି ବଡ଼ ଖବର ସାମ୍ନାକୁ ଆସିଛି। ଝାରସୁଗୁଡା ଉପ-ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ଏହି ବଡ଼ ଝଟକା। ତେବେ ଆଗାମୀ ଉପ-ନିର୍ବାଚନରେ କେଉଁ ଦଳ ବାଜିମାତ କରିବ ତାହା ଦେଖିବାକୁ ବାକି ରହିଲା।