ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା, ଓଡ଼ିଶାରେ ନାହିଁ ପ୍ରଭାବ
ଆଜି ବିଳମ୍ବିତ ରାତି ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ।
ଓଏଲ୍ ବ୍ୟୁରୋ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଗଭୀର ଅବପାତ ନେଲା ବାତ୍ୟାର ରୂପ। ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟ ଗଭୀର ଅବପାତ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୮ କିଲୋମିଟର୍ ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ସାମୁଦ୍ରିକ ବାତ୍ୟା ‘ମୋକା’ ପାଲଟିବା ପରେ ଭୋର୍ ୫.୩୦ରେ ସେହି ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପୋର୍ଟବ୍ଲେୟାର ଠାରୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ୫୧୦କିଲୋମିଟର ଦୂରରେ ରହିଛି। କ୍ରମଶ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଜି ବିଳମ୍ବିତ ରାତି ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ।
୧୩ ତାରିଖ ସନ୍ଧ୍ୟାରେ ଏହି ବାତ୍ୟା ତୀବ୍ରତାର ଚରମ ସୀମାରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା ୧୪ ତାରିଖ ସକାଳ ବେଳକୁ ଏହି ସାମୁଦ୍ରିକ ବାତ୍ୟା ସାମାନ୍ୟ ଦୁର୍ବଳ ହୋଇ ପୂର୍ବାହ୍ନ ବେଳକୁ ଘଣ୍ଟାପ୍ରତି ୧୪୫ କିଲୋମିଟର୍ ପବନ ଦଲକା ସହିତ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର୍ ବେଗରେ କକ୍ସ ବଜାର (ବାଂଲାଦେଶ) ଏବଂ କ୍ୟାୟୁକ୍ପ୍ୟୁ (ମିଆଁମାର୍) ଦେଇ ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର୍ ଉପକୂଳ ଅତିକ୍ରମ କରିବ। ବଙ୍ଗୋପସାଗର, ଆଣ୍ଡାମାନ ନିକୋବର ଦୀପପୂଞ୍ଜ ଓ ବାଂଲାଦେଶ ଓ ମିଆଁମାର ଉପରେ ରହିବ ବିଶେଷ ପ୍ରଭାବ। ମିଜୋରାମ, ତ୍ରୀପୂରା ଏବଂ ମଣିପୁର ଉପରେ ମଧ୍ୟ ପ୍ରଭାବ ରହିବ।