ଅତି ଭୀଷଣ ବାତ୍ୟାର ରୂପ ନେଲା ‘ମୋକା’, ଉତ୍ତର ଦିଗକୁ ଘଣ୍ଟା ପ୍ରତି ୯ କିମି ବେଗରେ କରୁଛି ଗତି
ବଙ୍ଗୋପସାଗର, ଆଣ୍ଡାମାନ ନିକୋବର ଦୀପପୂଞ୍ଜ ଓ ବାଂଲାଦେଶ ଓ ମିଆଁମାର ଉପରେ ରହିବ ବିଶେଷ ପ୍ରଭାବ।
![](https://www.odishalink.com/wp-content/uploads/2023/05/cyclonee-750x430.jpg)
ଓଏଲ୍ ବ୍ୟୁରୋ: ଅତି ଭୀଷଣ ବାତ୍ୟାର ରୂପ ନେଲା ‘ମୋକା’। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଲା। ଘଣ୍ଟା ପ୍ରତି ୯ କିମି ବେଗରେ ଉତ୍ତର ଆଡ଼କୁ ଗତି କରୁଛି ‘ମୋକା’। ଆସନ୍ତା ୧୪ ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ ୧୭୫ କିମି ରହିବ ବୋଲି ସୂଚନା ମିଳିଛି।
ଗତକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଗଭୀର ଅବପାତ ନେଇଥିଲା ବାତ୍ୟାର ରୂପ। ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟ ଗଭୀର ଅବପାତ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୮ କିଲୋମିଟର୍ ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ସାମୁଦ୍ରିକ ବାତ୍ୟା ‘ମୋକା’ ପାଲଟିବା ପରେ ଭୋର୍ ୫.୩୦ରେ ସେହି ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଥିଲା। ଆଜି ଏହା ଭୀଷଣ ବାତ୍ୟାରେ ପରିଣତ ହୋଇଛି।
ଆସନ୍ତାକାଲି ସନ୍ଧ୍ୟାରେ ଏହି ବାତ୍ୟା ତୀବ୍ରତାର ଚରମ ସୀମାରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା ୧୪ ତାରିଖ ସକାଳ ବେଳକୁ ଏହି ସାମୁଦ୍ରିକ ବାତ୍ୟା ସାମାନ୍ୟ ଦୁର୍ବଳ ହୋଇ ପୂର୍ବାହ୍ନ ବେଳକୁ ଘଣ୍ଟାପ୍ରତି ୧୪୫ କିଲୋମିଟର୍ ପବନ ଦଲକା ସହିତ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର୍ ବେଗରେ କକ୍ସ ବଜାର (ବାଂଲାଦେଶ) ଏବଂ କ୍ୟାୟୁକ୍ପ୍ୟୁ (ମିଆଁମାର୍) ଦେଇ ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର୍ ଉପକୂଳ ଅତିକ୍ରମ କରିବ। ବଙ୍ଗୋପସାଗର, ଆଣ୍ଡାମାନ ନିକୋବର ଦୀପପୂଞ୍ଜ ଓ ବାଂଲାଦେଶ ଓ ମିଆଁମାର ଉପରେ ରହିବ ବିଶେଷ ପ୍ରଭାବ।