ଏଏସ୍ଓ ପରୀକ୍ଷା: ଖାରଜ ହୋଇଥିବା ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କ ବିକ୍ଷୋଭ
ଓପିଏସ୍ସି ଏଏସ୍ଓ ପରୀକ୍ଷା ପରେ ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି କୋର୍ଟ।
ଓଏଲ୍ ବ୍ୟୁରୋ: ଗତକାଲି ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଆୟୋଜିତ ଏଏସଓ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି ଆଶାୟୀ। ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ପ୍ରାର୍ଥୀ ବିକ୍ଷୋଭ କରିବା ସହ ସେମାନଙ୍କ ପ୍ରତି ଅବିଚାର ହୋଇଥିବା ଅଭିଯୋଗ କରିଛନ୍ତି।
ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଆୟୋଜିତ ଏଏସ୍ଓ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ କୋର୍ଟରେ ମାମଲା ହୋଇଥିଲା। ଏହି ଘଟଣାକୁ ନେଇ ହାଇକୋର୍ଟରେ ରିଟ୍ ଆବେଦନ ଶୁଣାଣି ହୋଇଛି। ପିଟିସନରଙ୍କ ପକ୍ଷରୁ ଯୁକ୍ତିକୁ ବୈଧ ବୋଲି କହିଛନ୍ତି ହାଇକୋର୍ଟ। ଓପିଏସ୍ସି ଏଏସ୍ଓ ପରୀକ୍ଷା ପରେ ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି କୋର୍ଟ। ନୂତନ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ଓପିଏସ୍ସିକୁ ନିର୍ଦ୍ଦେଶ ଦିଆଯାଇଛି।
୭୯୬ଟି ଏଏସ୍ଓ ପଦବୀ ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଗତ ଅଗଷ୍ଟ ମାସରେ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ କୋର୍ଟରେ ମାମଲା ହୋଇଥିଲା। ଆବେଦନର ଶୁଣାଣି କରି ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାର ମୋଟ୍ ମାର୍କ ଆଧାରରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ନେଇ ପୁରୁଣା ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ପ୍ରତିବାଦ ଆରମ୍ଭ କରିଛନ୍ତି।