Odisha Link
Bridging the Missing Links in Odisha

ସୁଶାନ୍ତ ସିଂଙ୍କର ଜ୍ୟୋତିର୍ବିଦ ହେବାର ଆବଶ୍ୟକତା ନାହିଁ: ପୃଥ୍ୱୀରାଜ ହରିଚନ୍ଦନ

ସୁଶାନ୍ତ ସିଂ ଜଣେ ରାଜନୈତିକ ଗଣିତଜ୍ଞ ନୁହଁନ୍ତି ବୋଲି କହିଛନ୍ତି ପୃଥ୍ୱୀରାଜ।

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଯାହାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୈତିକ ଅଙ୍କକଷା। ଏହାରି ମଧ୍ୟରେ ବିଜେଡି ନେତା ସୁଶାନ୍ତ ସିଂ ପଶ୍ଚିମ ଓଡ଼ିଶାରେ ବିଜେଡି ୫ରୁ ୫ ଲୋକସଭା ଓ ୩୧ରୁ ଅଧିକ ବିଧାନସଭା ଆସନରେ ଜିତିବ ବୋଲି ଦମ୍ଭୋକ୍ତି ରଖିଥିଲେ, ଯାହାକୁ ନେଇ ତାଙ୍କୁ ଟାର୍ଗେଟ କରିଛି ବିଜେପି।

ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କିଏ ଜିତିବ କିଏ ହାରିବ ତାହା ସମୟ କହିବ। ସେ ବାବଦରେ ସୁଶାନ୍ତ ସିଂଙ୍କର ଜ୍ୟୋତିର୍ବିଦ ହେବାର ଆବଶ୍ୟକତା ନାହିଁ। କିଛି ଦିନ ତଳେ ସେ ମାନ ଅଭିମାନ କରିଥିଲେ ସେ। ମାନ ଅଭିମାନ ବୋଧେ ତୁଟିଗଲା। ଏବେ ତାକୁ ମେକଅପ କରିବା ଲାଗି କିଛି କଥା କହିଥିବେ। ତାଙ୍କ କଥାରେ କିଛି ବାସ୍ତବତା ନାହିଁ। ଏହା ଅବାନ୍ତର ମନ୍ତବ୍ୟ।

ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ନିଜର ମାନ ଅଭିମାନ ତୁଟିଯାଏ, ସେତେବେଳେ ନିଜର ପ୍ରଭୁଙ୍କ ନିକଟରେ ଆନ୍ତରିକତା ଦେଖାଇବା ପାଇଁ ଟିକେ ଅଧିକ କଥା କୁହନ୍ତି। ସୁଶାନ୍ତ ସିଂ ସେହି ଧାରାରେ ଅବସ୍ତାବ ମନ୍ତବ୍ୟ ଦେଇଛନ୍ତି। କିଏ ଜିତିବ କିଏ ହାରିବ ତାହା ସମୟ କହିବ। ସୁଶାନ୍ତ ସିଂ ଜଣେ ରାଜନୈତିକ ଗଣିତଜ୍ଞ ନୁହଁନ୍ତି ବୋଲି କହିଛନ୍ତି ପୃଥ୍ୱୀରାଜ।

ଖବର ଅନୁସାରେ, ଗତକାଲି ମୁଖ୍ୟମନ୍ତ୍ରୀ ଓ ଆଜି ସଙ୍ଗଠନ ସମ୍ପାଦକଙ୍କୁ ଭେଟିବା ପରେ ସୁଶାନ୍ତ କହିଛନ୍ତି, ୨୦୨୨ରେ ମୁଖ୍ୟମନ୍ତ୍ରୀ ମୋତେ ଇସ୍ତଫା ଦେବାକୁ କହିନଥିଲେ। ବରଂ ସଙ୍ଗଠନକୁ ସୁଦୃଢ କରିବାକୁ ମୁଁ ନିଜେ ଇସ୍ତଫା ଦେଇଥିଲି। କାରଣ ମନ୍ତ୍ରୀମଣ୍ଡଳରେ ରହିଲେ ୧୫ରୁ ୨୦ ଦିନ ଭୁବନେଶ୍ୱରରେ ରହିବାକୁ ପଡିଥାଏ। ପଶ୍ଚିମ ଓଡ଼ିଶାରେ ସଙ୍ଗଠନକୁ ସୁଦୃଢ କରିବାକୁ ମୋତେ କୁହାଯାଇଛି। ଯେଉଁଠି ସୁବିଧା, ଅସୁବିଧା ଅଛି ତାହାର ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀପଦ ରେସରେ ନଥିଲି କି ଏବେ ଅସନ୍ତୁଷ୍ଟ ମଧ୍ୟ ନାହିଁ। ମନ୍ତ୍ରୀ ହେବାକୁ ଲବି ମଧ୍ୟ କରିନଥିଲି। ସୁନ୍ଦରଗଡକୁ ଛାଡି ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାର ଦାୟିତ୍ୱ ବୁଝିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ପଶ୍ଚିମ ଓଡ଼ିଶାର ୩୧ରୁ ଅଧିକ ବିଧାନସଭା ଆସନରେ ବିଜେଡି ୨୦୨୪ରେ ବିଜୟୀ ହେବ। ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟିବା ପରେ କିଛି ଏମିତି କହିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ। ମନ୍ତ୍ରୀମଣ୍ଡଳରେ ସୁଶାନ୍ତଙ୍କୁ ସ୍ଥାନ ନ ମିଳିଥିବାରୁ ସେ ଅସନ୍ତୁଷ୍ଟ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସୁଶାନ୍ତ।

Leave A Reply

Your email address will not be published.