ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା: ଆଜି ସାରା ରାଜ୍ୟରେ ଦିନିକିଆ ଶୋକ
ଓଏଲ୍ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୩କୁ ବୃଦ୍ଧି ପାଇଛି। ଏଥିସହ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପାଇଁ ଆଜି ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ କରାଯିବ। ଆଜି ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଆଜି ଘଟଣାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି।
ଅନ୍ୟପଟେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତପାଇଁ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କାହିଁକି ଦୁର୍ଘଟଣା ଘଟିଲା, କିଏ ଏହି ଦୁର୍ଘଟଣାପାଇଁ ଦାୟୀ ତାହାର ତଦନ୍ତ ହେବ ବୋଲି ରେଳମନ୍ତ୍ରୀ କହିଛନ୍ତି।
ସକାଳୁ ସକାଳୁ ଉଦ୍ଧାର କାର୍ଯ୍ୟ ଜୋରଦାର ହେବାକୁ ଥିବା ବେଳେ ଆହୁରି ଅନେକ ମୃତଦେହ ଉଦ୍ଧାର ହେବାର ଆଶଙ୍କା ରହିଛି। ଟ୍ରେନ ଦୁର୍ଘଟଣା ହେବା ପରେ ଗତକାଲି ରାତି ଠାରୁ ଏବେ ଯାଏଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଉଥିବା ବେଳେ ମୃତକଙ୍କୁ ଗୋଟିଏ ସ୍ଥାନରେ ରଖାଯାଇଛି। କିଛି ଜଣଙ୍କ ମରଶରୀରର ପକେଟରୁ ମୋବାଇଲ ଫୋନ୍ ବାଜୁଥିବାର ଦେଖିବାକୁ ମିଳିଛି। କିନ୍ତୁ ପରିବାରବର୍ଗଙ୍କୁ ମୃତ୍ୟୁ ବାବଦରେ ସୂଚନା ମିଳୁଥିବାର ଦୁଃଖଦ ଖବର ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ୧୫ ମିନିଟ୍ ସମୟରେ ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍ ଚ୍ୟୁତ୍ ହୋଇ ପାଖରେ ଅନ୍ୟ ଲାଇନ୍ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା। ଠିକ୍ ଏହି ସମୟରେ ଅନ୍ୟ ଏକ ଲାଇନ୍ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ର ଦ୍ରୁତଗତିରେ ପାସ୍ କରୁଥିଲା। ଏହି ଟ୍ରେନ୍ ଲାଇନ୍ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍ର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା।