ବାହାନଗା ରେଳ ଦୁର୍ଘଟଣା: ବଢ଼ିଲା ମୃତ୍ୟୁ ସଂଖ୍ୟା, କଟକରେ ଚିକିତ୍ସାଧୀନ ଭାବେ ଜଣେ ମୃତ
ଆହତଙ୍କ ମଧ୍ୟରେ ଏହା ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା

ଓଏଲ୍ ବ୍ୟୁରୋ: ଆଜି ବାହାନଗା ରେଳ ଦୁର୍ଘଟଣାକୁ ୧୨ ଦିନ। ଏହି ଭୟଙ୍କର ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଛି। ଭୟଙ୍କର ଦୁର୍ଘଟଣା ଆହତ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଭାବେ ମୃତ୍ୟୁ ହୋଇଛି। ମୃତକ ହେଲେ ବିଜୟ ପାଶୱାନ। ବ୍ୟକ୍ତି ଜଣକ ବିହାରର ବୋଲି ଜଣା ପଡିଛି। ବାହାନଗା ଟ୍ରେନ୍ ଦୁର୍ଘଟଣା ପରଠାରୁ କଟକ ବଡ଼ ମେଡିକାଲ ଆଇସିୟୁରେ ଥିଲେ। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଆହତଙ୍କ ମଧ୍ୟରେ ଏହା ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଖବର ଅନୁସାରେ, ଗତ ଶୁକ୍ରବାର ଅର୍ଥାତ ଜୁନ୍ ୨ ଠିକ୍ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୮୮ ଜଣ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ତଦନ୍ତ କରୁଛି ସିବିଆଇ।
ବାଲେଶ୍ୱରରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାର କାରଣ କଣ ହୋଇପାରେ ଏନେଇ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ ତଦନ୍ତ ଦାଇତ୍ୱ ସିବିଆଇ ଟିମ୍ କୁ ଦିଆଯାଇଛି। ଏହା ସହ ବାହାନଗା ରେଳ ଦୁର୍ଘଟଣା ପରେ ଆଜି ଦ୍ୱାଦଶ ପାଳନ କରୁଛନ୍ତି ସ୍ଥାନୀୟ ଲୋକେ। ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀର କରାଯାଇଛି ଆୟୋଜନ। ବେଦ, ମନ୍ତ୍ରପାଠରେ କମ୍ପୁଛି ପୁରା ଅଞ୍ଚଳ।