ଦିଗପହଣ୍ଡି ବସ୍ ଦୁର୍ଘଟଣା: ଆହତ ସମ୍ପର୍କୀୟଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ
ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ଓଏଲ୍ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ମଧ୍ୟରେ ୬ ଜଣ ପୁରୁଷ,୪ ଜଣ ମହିଳା ଓ ୨ଜଣ ଶିଶୁ ଥିବା ଜଣାପଡ଼ିଛି।
ଦିଗପହଣ୍ଡି ମର୍ମନ୍ତୁଦ ବସ୍ ଦୁର୍ଘଟଣା କାରଣରୁ ଲହୁ ଆଉ ଲୁହରେ ଭିଜିଛି ଦିଗପହଣ୍ଡି ମାଟି। ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି। ତେବେ ମେଡିକାଲରେ ଆହତ ସମ୍ପର୍କୀୟଙ୍କୁ ଭେଟିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ମେଡିକାଲରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।
ମିଳିଥିବା ସୂଚନା ମୁତାବିକ, ରବିବାର ରାତି ପ୍ରାୟ ସାଢ଼େ ୧ ସମୟରେ ବ୍ରହ୍ମପୁରରୁ ବିବାହ ଭୋଜି ସାରି ଏକ ବସ୍ରେ ହସଖୁସିରେ ଖଣ୍ଡଦେଉଳି ଫେରୁଥିଲେ ବନ୍ଧୁବାନ୍ଧବ। ଏହି ସମୟରେ ଓଏସ୍ଆରଟିସି ବସ୍ଟି ଗୁଡାରିରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିଲା। ଖେମୁଣ୍ଡି କଲେଜ ନିକଟରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ୧୨ ଜଣଙ୍କର ଜୀବନ ଚାଲି ଯାଇଛି।
ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।